ବାଲିଗୁଡ଼ା, ୨୮/୦୬ : (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳରେ ସମାଜସେବାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ସ୍ୱେଚ୍ଛାସେବୀ ସଂଗଠନ “ବିପଦର ବନ୍ଧୁ”। ସଂଗଠନ ପକ୍ଷରୁ ପ୍ରତିମାସର ଶେଷ ରବିବାର ଦିନ ଦେୟମୁକ୍ତ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ନିରନ୍ତର ଭାବେ ପରିଚାଳିତ ହେଉଛି। ମାନବିକତା ଓ ସେବାଭାବକୁ ଆଧାର କରି ଆରମ୍ଭ ହୋଇଥିବା ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି।ବାଲିଗୁଡ଼ାରେ ପ୍ରତିମାସର ଶେଷ ରବିବାର ଦିନ ଦୋକାନ ଓ ବଜାର ବନ୍ଦ ରହୁଥିବାରୁ

ଅନେକ ଯାତ୍ରୀ, ଦିନମଜୁରିଆ ଶ୍ରମିକ ଏବଂ ଅସହାୟ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହୋଇଥାନ୍ତି। ଏହି ସମସ୍ୟାକୁ ହୃଦୟଙ୍ଗମ କରି “ବିପଦର ବନ୍ଧୁ” ପକ୍ଷରୁ ମାଗଣା ଖାଦ୍ୟ ବଣ୍ଟନ ଅଭିଯାନ ଆରମ୍ଭ କରାଯାଇଥିଲା।ଏହି ସେବାମୂଳକ କାର୍ଯ୍ୟରେ ଯୁବପିଢ଼ୀଙ୍କ ସକ୍ରିୟ ସହଭାଗିତା ସମାଜରେ ସେବାଭାବ ଓ ସହଯୋଗର ମନୋଭାବକୁ ଆହୁରି ସୁଦୃଢ଼ କରୁଛି। ପ୍ରତ୍ୟେକ କାର୍ଯ୍ୟକ୍ରମରେ ଶତାଧିକ ଲୋକ ମାଗଣା ଖାଦ୍ୟ ପାଇ ଉପକୃତ ହେଉଥିବା ବେଳେ ଅନେକ ଦରିଦ୍ର, ନିରାଶ୍ରୟ ଓ ଅସହାୟ ବ୍ୟକ୍ତିଙ୍କ ପାଇଁ ଏହା ଏକ ବଡ଼ ସହାୟତା ପାଲଟିଛି।

ଏହି ଉଦ୍ୟମରୁ ଉପକୃତ ଯାତ୍ରୀମାନେ ସଂଗଠନର ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି। ସେହିପରି ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ “ବିପଦର ବନ୍ଧୁ”ର ଏହି ସେବାମୂଳକ କାର୍ଯ୍ୟକୁ ସ୍ୱାଗତ କରିଥିବା ବେଳେ ଏପରି ପ୍ରୟାସ ସମାଜରେ ସକାରାତ୍ମକ ବାର୍ତ୍ତା ପ୍ରସାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସମାଜସେବା ପାଇଁ ପ୍ରେରଣା ଯୋଗାଉଥିବା ମତ ପ୍ରକାଶ କରିଛନ୍ତି। ସଂଗଠନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏହି ମହତ୍ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି।