ବ୍ରହ୍ମପୁର,(ବିଚିତ୍ର ସାହୁ):-
ବ୍ରହ୍ମପୁର, ୧୦ ଜୁନ: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି–୨.୦ କବାଡି ଚାମ୍ପିୟନସିପ୍–୨୦୨୬ର ଫାଇନାଲ ମ୍ୟାଚ୍ଗୁଡ଼ିକ ଆଜି ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଅନ୍ତଃ–୧୬ ବର୍ଷୀୟ ବାଳକ ବିଭାଗରେ ବାଲେଶ୍ୱର ଜିଲ୍ଲା ଦଳ ଚାମ୍ପିଅନ ହୋଇଥିବାବେଳେ ବାଳିକା ବିଭାଗରେ ପୁରୀ ଜିଲ୍ଲା ଦଳ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି।ଫାଇନାଲ ମ୍ୟାଚ୍ରେ ବାଳକ ବିଭାଗରେ ବାଲେଶ୍ୱର ଜିଲ୍ଲା ଦଳ ସୁନ୍ଦରଗଡ଼ ଜିଲ୍ଲା ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା। ସେହିପରି ବାଳିକା ବିଭାଗରେ ପୁରୀ ଜିଲ୍ଲା ଦଳ ଗଞ୍ଜାମ ଜିଲ୍ଲା ଦଳକୁ ପରାସ୍ତ କରି ଚାମ୍ପିଅନ ଟ୍ରଫି ହାସଲ କରିଥିଲା।ପ୍ରତିଯୋଗିତାଟି ପ୍ରଥମେ ରାଜ୍ୟର ଚାରୋଟି ଜୋନ୍ରେ ଆୟୋଜିତ ହୋଇଥିଲା। ଜୋନାଲ୍ ପର୍ଯ୍ୟାୟରୁ ଉତ୍ତୀର୍ଣ୍ଣ ହୋଇ ବାଳକ ବର୍ଗରେ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ଼ ଏବଂ ଗଞ୍ଜାମ ଦଳ ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ବାଳିକା ବର୍ଗରେ ସମ୍ବଲପୁର, ପୁରୀ, ଅନୁଗୁଳ ଏବଂ ଗଞ୍ଜାମ ଦଳ ସେମିଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଥିଲେ।ଫାଇନାଲ ମ୍ୟାଚ୍ଗୁଡ଼ିକ ଅତ୍ୟନ୍ତ ରୋମାଞ୍ଚକର ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିବାବେଳେ ଉପସ୍ଥିତ କ୍ରୀଡ଼ାପ୍ରେମୀମାନେ ଖେଳାଳିମାନଙ୍କୁ ଭରପୂର ଉତ୍ସାହିତ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବ କବାଡି ଖେଳାଳିମାନେ ନିଜ ନିଜ ପ୍ରତିଭାର ଚମତ୍କାର ପ୍ରଦର୍ଶନ କରିଥିଲେ।ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ଲୋକସଭା ସାଂସଦ ବ୍ରହ୍ମପୁର , ମାନ୍ୟବର ଶ୍ରୀ କେ. ଅନିଲ କୁମାର, ବିଧାୟକ ବ୍ରହ୍ମପୁର ଏବଂ ଆନ୍ତର୍ଜାତୀୟ କବାଡି ଖେଳାଳି ଶ୍ରୀମତୀ ଜୟଶ୍ରୀ ସ୍ୱାଇଁ ଯୋଗଦେଇ ବିଜେତା ଓ ଉପବିଜେତା ଦଳମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଓଡ଼ିଶା କବାଡି ସଂଘର ସମ୍ପାଦକ ଶ୍ରୀ ଅଜୟ କୁମାର ବେହେରା, ସହ-ସମ୍ପାଦକ ଶ୍ରୀ ସୂର୍ଯ୍ୟକାନ୍ତ ମହାନ୍ତି ଏବଂ ଉପ-ସଭାପତି ଶ୍ରୀ ପୃଥ୍ୱୀରାଜ ପଟ୍ଟନାୟକ ଉପସ୍ଥିତ ଥିଲେ।ଏହାସହ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ଓଡ଼ିଶା ଓଲିମ୍ପିକ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଜେ. କାମେଶ୍ୱର ରାଓ, ଶ୍ରୀ କେଦାରନାଥ ଚୌଧୁରୀ, ଶ୍ରୀ ଦୁର୍ଗା ପଟ୍ଟନାୟକ, ଡ଼. ଡି.ଡି. ଗନ୍ତାୟତ, ଡ଼. ବାବୁ ରାଓ, ଶ୍ରୀ ରାଜ ନାରାୟଣ ପାତ୍ର, ଶ୍ରୀ ପ୍ରମୋଦ ମହାରଣା, ଶ୍ରୀ ବିଜୟ କୁମାର ପଟ୍ଟନାୟକ, ଶ୍ରୀ ରାଜେନ୍ଦ୍ର ପ୍ରସାଦ ଗନ୍ତାୟତ, ଡ଼. ଆପ୍ପା ରାଓ ଏବଂ ଶ୍ରୀ ସୀତାରାମ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ଶେଷରେ ବିଜେତା ବାଲେଶ୍ୱର ବାଳକ ଦଳ ଏବଂ ପୁରୀ ବାଳିକା ଦଳକୁ ଅଭିନନ୍ଦନ ଜଣାଯାଇଥିଲା।ଏହି ସୂଚନା ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ଓଡ଼ିଶା ଓଲିମ୍ପିକ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଜେ. କାମେଶ୍ୱର ରାଓ ପ୍ରଦାନ କରିଛନ୍ତି।