ବାଲିଗୁଡା,୨୪/୦୫ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ମ୍ୟାଲେରିଆ ନିରାକରଣ ନିମନ୍ତେ ଦିନିକିଆ ଏସିଏମ୍ ଛିଞ୍ଚନ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ବାରଖମା ଓ କ.ନୂଆଗାଁ ଅଞ୍ଚଳ ଦାୟିତ୍ୱରେ ଥିବା ଜିଲ୍ଲା ଭେକ୍ଟର ବୋର୍ଣ୍ଣ ରୋଗ ନିୟନ୍ତ୍ରଣ ତଦାରଖକାରୀ ସମୀର କୁମାର ପଟନାୟକଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜିତ ହୋଇଥିଲା।ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳର ଆଠଟି ଗ୍ରାମପଞ୍ଚାୟତର ମ୍ୟାଲେରିଆ ପ୍ରବଣ ଗ୍ରାମଗୁଡିକରେ ଏସିଏମ୍ ଛିଞ୍ଚନ ପ୍ରକ୍ରିୟା ସମ୍ପର୍କରେ ଫୁଲବାଣୀ ମୁଖ୍ୟାଳୟରୁ ଆସିଥିବା ଜିଲ୍ଲା ଭେକ୍ଟର ବୋର୍ଣ୍ଣ ରୋଗ ନିୟନ୍ତ୍ରଣ ପରାମର୍ଶଦାତା ସୁଜିତ କୁମାର କାର୍ଜୀ, ବାରଖମା ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା. ବଦ୍ରି ନାରାୟଣ ସାମଲ, ଲେପ୍ରୋସି କର୍ମଚାରୀ ମନୋଜ ପାତ୍ର ଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଣୀ ଶ୍ରୀମତୀ ମାରିୟମ ଡିଗାଲ ପ୍ରମୁଖ ସ୍ପ୍ରେ କର୍ମୀମାନଙ୍କୁ ପ୍ରାଞ୍ଜଳ ଭାବରେ ତାଲିମ୍ ପ୍ରଦାନ କରିଥିଲେ।ତାଲିମ୍ରେ ପ୍ରଥମେ ଏକ ଲିଟର ପାଣିରେ ୨.୫୦ ଗ୍ରାମ ଏସିଏମ୍ ମିଶ୍ରଣ କରି ପରେ ତାହାକୁ ୯ ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା ପ୍ରକ୍ରିୟା ଦେଖାଯାଇଥିଲା। ବିଶେଷ କରି ଶୋଇବା ଘର, ଅନ୍ଧାର ସ୍ଥାନ ଓ ମଶା ରହୁଥିବା ସ୍ଥାନଗୁଡିକରେ ଛିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହାସହ ପ୍ରତି ମିନିଟରେ ୨୫ ଥର ପମ୍ପିଂ କରିବା, କାନ୍ଥଠାରୁ ଦେଢ଼ ଫୁଟ ଦୂରତାରେ ରହି ସ୍ପ୍ରେ କରିବା ଓ ସୁରକ୍ଷିତ ଭାବେ ଔଷଧ ମିଶ୍ରଣ କରିବା ସମ୍ପର୍କରେ ମଧ୍ୟ ଶିକ୍ଷା ଦିଆଯାଇଥିଲା।ଏହି ତାଲିମ୍ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ଆଶାଦିଦି, ଓରଦା ସ୍ୱେଚ୍ଛାସେବୀ ସଂଗଠନ, ବନଶ୍ରୀ କଳାସାଂସ୍କୃତିକ ଯୁବ ପରିଷଦ ଓ କୁମ୍ଭାରମୁଣ୍ଡା-ଦାରିଙ୍ଗବାଡିର ସ୍ୱେଚ୍ଛାସେବୀମାନେ ସାମିଲ ହୋଇଥିଲେ। କ୍ରିଷ୍ଣା ଚନ୍ଦ୍ର ଦିଗାଳ (ବୁଲୁ)ଙ୍କ ନେତୃତ୍ୱରେ ୧୬ ଜଣ ସ୍ୱେଚ୍ଛାସେବୀ ଚଳିତ ମାସ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଛିଞ୍ଚନ କାର୍ଯ୍ୟକ୍ରମରେ ଯୋଗଦେଇ “ମ୍ୟାଲେରିଆ ମୁକ୍ତ କନ୍ଧମାଳ” ଗଠନ ପାଇଁ ପ୍ରୟାସ ଜାରି ରଖିବେ ବୋଲି ଜଣାପଡିଛି।