ବାଲିଗୁଡା, ୦୩/୦୫ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବେଲଘର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଏକ ଚଞ୍ଚଳକର ଗୁଳିକାଣ୍ଡ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।ମୃତକଙ୍କୁ ବେଲଘର ଥାନା ଅନ୍ତର୍ଗତ ତକଲା ଗ୍ରାମର ନିବାସୀ କାମଦେବ ମାଝୀ (୩୩), ପିତା ଆନନ୍ଦ ମାଝୀ ଭାବରେ ଚିହ୍ନଟ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ଶିକାର କରିବା ନାମରେ

କାମଦେବଙ୍କୁ ଘରୁ ଡାକି ନେଇଥିଲେ ଏବଂ ପରେ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ।ଏହି ଘଟଣା ସମ୍ପର୍କରେ ବେଲଘର ପୋଲିସ ଷ୍ଟେସନରେ ମାମଲା ନଂ ୩୯/୨୬, ତାରିଖ ୦୧.୦୫.୨୦୨୬ ରେ ୧୦୩(୧)/୩(୫)/ବିଏନଏସ ଏବଂ ୨୫/୨୭ ଅସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।ପୋଲିସ ତଦନ୍ତରେ ଅଭିଯୁକ୍ତ ଭାବେ ସାପେରୁ ଗ୍ରାମର ଲିଟୁ ମାଝୀ (୨୦), ପିତା କଟିନ୍ଦ୍ର ମାଝୀ ଓ ମଧୁସୂଦନ ମାଝୀ (୩୫), ପିତା ରମେଶ

ମାଝୀଙ୍କୁ ଚିହ୍ନଟ କରାଯାଇଛି। ଘଟଣା ପରେ ଉଭୟ ଅଭିଯୁକ୍ତ ଫେରାର୍ ହୋଇଥିଲେ।ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବେଲଘର ଆଇଆଇସିଙ୍କ ନେତୃତ୍ୱରେ ଏକ ବିଶେଷ ପୋଲିସ ଦଳ ଗଠନ କରାଯାଇଥିଲା। ନିରନ୍ତର ଚେଷ୍ଟା ପରେ ପୋଲିସ ଉଭୟଙ୍କୁ ସଫଳତାର ସହ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ ମଧ୍ୟ ଜବତ ହୋଇଛି।ପ୍ରାଥମିକ ତଦନ୍ତରୁ ଆହୁରି ଜଣାପଡିଛି ଯେ, ମୃତକ ଓ ଅଭିଯୁକ୍ତମାନେ ସମ୍ପର୍କୀୟ

ଥିଲେ ଏବଂ ପୂର୍ବରୁ ସେମାନଙ୍କ ମଧ୍ୟରେ ଶତ୍ରୁତା ଓ ବିବାଦ ରହିଥିଲା। ତଥାପି ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାରୁ ପୋଲିସ ଆହୁରି ତଦନ୍ତ ଜାରି ରଖିଛି।ଏସ୍ଡିପିଓ ସୁଭମ ଭୋସଲେ କହିଛନ୍ତି ଯେ, ଘଟଣାର ସମସ୍ତ ପାଟିକୁ ଧ୍ୟାନରେ ରଖି ବୈଜ୍ଞାନିକ ଓ ବୈଷୟିକ ପ୍ରମାଣ ସଂଗ୍ରହ କରାଯାଉଛି ଏବଂ ଶୀଘ୍ର ଏହାର ପୂର୍ଣ୍ଣ ସତ୍ୟ ଉଦ୍ଘାଟନ କରାଯିବ।
