ବେଲଘର ଅଞ୍ଚଳରେ : ଜମି ବିବାଦକୁ ନେଇ ଜ୍ବାଇଁଙ୍କୁ ଗୁଳି କରି ହତ୍ୟା

ବାଲିଗୁଡା : ୦୩/୦୫ ସୁକାନ୍ତ କୁମାର ତ୍ରିପାଠୀ

ବେଲଘର ଥାନା ଅନ୍ତର୍ଗତ ଗୁମା ପଂଚାୟତର ସାପେରି ଗାଁରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଶଶୁର ଘରକୁ ଯାଇଥିବା ଜ୍ବାଇଁଙ୍କୁ ଯୋଜନାବଦ୍ଧ ଭାବେ ଦେଶୀ ବନ୍ଧୁକରୁ ଗୁଳି କରି ହତ୍ୟା କରାଯାଇଛି।ମୃତକ ହେଲେ ବେଲଘର ଥାନା ତୁଆକଲା ଗାଁର କାମଦେବ ମାଝୀ। ସେ ଗୁମା ପଂଚାୟତ ସାପେରି ଗାଁର ନରେନ୍ଦ୍ର ମାଝୀଙ୍କ ଝିଅଙ୍କୁ ବିବାହ କରି ଦୀର୍ଘଦିନ ଧରି ଶଶୁର ଘରେ ରହୁଥିଲେ।ପରିବାର ମଧ୍ୟରେ ପୂର୍ବରୁ ଜମିଜମାକୁ କେନ୍ଦ୍ର କରି ବିବାଦ ଲାଗି ରହିଥିବା ବେଳେ, କାମଦେବଙ୍କ ଅଧିକାର ବଢ଼ିବ ବୋଲି ସନ୍ଦେହରୁ ପରିବାରର କିଛି ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ଜନ୍ମ ନେଇଥିଲା। ଏହି ବିବାଦକୁ ନେଇ ତାଙ୍କ ଦୁଇ ଶଳା ଯୋଜନା କରି ଶୀକାର କରିବା ନାଁରେ ଘରୁ ଡାକି ନେଇଥିଲେ।ପରେ ସାପେରି ଗାଁରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଜଙ୍ଗଲ ଅଞ୍ଚଳରେ ତାଙ୍କୁ ଗୁଳି କରାଯାଇଥିଲା। ଗୁଳି ଲାଗିବା ସହିତ କାମଦେବଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ପରିବାର ଲୋକେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ବେଲଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।ଘଟଣାର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ, ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

Smart Computer Ad
You might also like
error: Content is protected !!