ସୁନାମଧନ୍ୟ ଶିକ୍ଷାବିତ୍ ତଥା ବଂଶୀବାଦକ ବାଉରୀବନ୍ଧୁଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର,(ବିଚିତ୍ର ସାହୁ):-

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁ ବେହେରା ସୁରଳ ସ୍ଥିତ ସ୍ଵ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଚଳିତ ଏପ୍ରିଲ ୧୬ ତାରିଖ ରାତି ବାର ଘଟିକା ବେଳେ ସାମାନ୍ୟ ପେଟବ୍ୟଥା ଓ ଆକସ୍ମିକ ମୃତ୍ୟୁ। ସୁରଳ, ଉଚ୍ଚ ବିଦ୍ୟାଳୟର ସେ ଜଣେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଥିଲେ। ଜଣେ ପ୍ରଜ୍ଞାଦୀପ୍ତ ଶିକ୍ଷାବିତ୍, ଆଧ୍ୟାତ୍ମବାଦ ବ୍ୟକ୍ତିତ୍ୱ ବ୍ୟତିରେକେ ସେ ଜଣେ ପ୍ରଥିତଯଶା ବଂଶୀବାଦକ ଥିଲେ। ତାଙ୍କରି ଅବର୍ତ୍ତମାନରେ ସ୍ଥାନୀୟ ଉଭୟ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ପ୍ରକାଶ। ଆଜି ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟାକ୍ଷତାରେ ସୁରଳ ଜଙ୍କସନ୍ ସ୍ଥିତ ‘ସୁରେଶ ହସ୍ପିଟାଲ’ ସଭାକକ୍ଷ ଠାରେ ଅନୁଷ୍ଠିତ ଶୋକସଭାରେ ଉପରୋକ୍ତ ମନ୍ତବ୍ୟ ଉପସ୍ଥାପିତ ହୋଇଥିଲା। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ କ୍ରମରେ ଦିବଂଗତ ବାଉରୀବନ୍ଧୁଙ୍କ ସଂକ୍ଷିପ୍ତ ପରିଚୟ ସୂଚିତ କରିଥିଲେ। ଦିବଂଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ସର୍ବଶ୍ରୀ ନାଟ୍ୟକାର ଯୁଧିଷ୍ଠିର ଭଞ୍ଜ ସାମନ୍ତ, ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ଜି. କାମରାଜୁ ପାତ୍ର, ମହେନ୍ଦ୍ର କୁମାର ସାହୁ, ମୁନା ସାମନ୍ତ, କେ. ବିନୋଦ, ଦୀପକ କୁମାର ପ୍ରଧାନ, ଶ୍ରୀଧର ଆଚାରୀ, ବିଶିକେଶନ ସାହୁ, ଏମ୍. ବିନୋଦ, ୟୁ. ପ୍ରେମାନନ୍ଦ ଚୌଧୁରୀ ପ୍ରମୁଖ ବହୁ କଳାକାର ଦିବଂଗତ ଆତ୍ମା ପ୍ରତି ବାକ୍ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ହରେକୃଷ୍ଣ, ଦୁତିକୃଷ୍ଣ ଏବଂ ହସ୍ପିଟାଲ କର୍ମଚାରୀମାନେ ସହଯୋଗ କରିଥିଲେ।

You might also like
error: Content is protected !!