ସାପ୍ତାହିକ ଖବରକାଗଜ ‘ଓଁକାର ଦର୍ପଣ’ର ଲୋକାର୍ପଣ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ସତ୍ୟର ସ୍ୱର ଏବଂ ସାଧାରଣ ଜନତାଙ୍କ ଆଶା-ଆକାଂକ୍ଷାକୁ ପ୍ରତିଫଳିତ କରିବା ପାଇଁ ବ୍ରହ୍ମପୁର ସହରରେ ଜନ୍ମ ନେଇଛି ଏକ ନୂତନ ସାରଥି। ଅକ୍ଷୟ ତୃତୀୟାର ଶୁଭ ଅବସରରେ ଲୋକାର୍ପିତ ହୋଇଛି ନୂତନ ସାପ୍ତାହିକ ସମ୍ବାଦପତ୍ର ‘ଓଁକାର ଦର୍ପଣ’। ବ୍ରହ୍ମପୁର ସର୍କିଟ ହାଉସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପତ୍ରିକା ଉନ୍ମୋଚିତ ହୋଇଯାଇଛି। ସାମ୍ପ୍ରତିକ ସମାଜରେ ସାମ୍ବାଦିକତାର ମହତ୍ୱ ଏବଂ ଜନସାଧାରଣଙ୍କ ସମସ୍ୟାକୁ ନିର୍ଭୀକ ଭାବେ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି ପତ୍ରିକା ପ୍ରକାଶ ପାଇଛି। ଏହି ଅବସରରେ ମହାନ୍ ସଂଘର ସଭାପତି ସୁଶାନ୍ତ ସାବତ, ବ୍ରହ୍ମପୁର ପ୍ରେସକ୍ଳବ୍ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ବ୍ରହ୍ମା,ହୋମିଓପାଥି ଅବସର ପ୍ରାପ୍ତ ଡାକ୍ତର ପ୍ରଫେସର ଶ୍ରୀବତ୍ସଳ ଦଳେଇ, ବରିଷ୍ଠ ସାମ୍ବାଦିକ ଗୋପାଳ ପଟନାୟକ, ଈଟିଭି ଭାରତର ଦକ୍ଷିଣ ଓଡିଶା ମୁଖ୍ୟ ସମୀର ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସୁଦୀପ ସାହୁ, ବ୍ରହ୍ମପୁର ପ୍ରେସକ୍ଲବ୍ କୋଷାଧ୍ୟକ୍ଷ ଶିବରାମ ପଣ୍ତା, ଯୁବ ସାମ୍ବାଦିକ ଅସିତ୍ ପଣ୍ତା, ଧରିତ୍ରୀର ବରିଷ୍ଠ ସାମ୍ବାଦିକ ସମୀର କୁମାର ରଥ, ବରିଷ୍ଠ ସାମ୍ବାଦିକ ଏନ୍ ନାଗରାଜୁ, ରବିନ୍ଦ୍ର ପ୍ରଧାନ, ଅମର ଦାସ, ଲକ୍ଷ୍ମଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖବରକାଗଜର ସାମାଜିକ ଦାୟିତ୍ୱବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ। ସତ୍ୟକୁ ପ୍ରଚାର ଓ ପ୍ରସାର କରିବାରେ ଏହି ପତ୍ରିକା ଏକ ମୁଖ୍ୟ ମାଧ୍ୟମ ସାଜିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ‘ଓଁକାର ଦର୍ପଣ’ର ସମ୍ପାଦକ ଅନନ୍ତ କୁମାର ପ୍ରଧାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠାକୁ ଅତିଥିମାନେ ପ୍ରଶଂସା କରିଥିଲେ। ଏଥିରେ ସାମ୍ବାଦିକ ସୁନିର ବିଶ୍ଵାସ, ସାମ୍ବାଦିକା ସୁଭଦ୍ରା ଶୁକ୍ଳା, ସୋମ୍ୟ ରଞ୍ଜନ ପଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ ସମସ୍ତ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିବା ବେଳେ ସାମ୍ବାଦିକ ପ୍ରଫୁଲ୍ଲ ଚନ୍ଦ୍ର ବେହେରା ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ। କାହ୍ନା ଚାରିଟେବୁଲ ଟ୍ରଷ୍ଟର ସଭାପତି ରଞ୍ଚନା ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତାର ମର୍ଯ୍ୟାଦା ରକ୍ଷା କରି ‘ଓଁକାର ଦର୍ପଣ’ ଆଗାମୀ ଦିନରେ ବ୍ରହ୍ମପୁର ତଥା ସମଗ୍ର ଓଡ଼ିଶାର ଏକ ସଶକ୍ତ ସ୍ୱର ହେବ ବୋଲି ସମସ୍ତେ କାମନା କରିଥିଲେ।

Smart Computer Ad
You might also like
error: Content is protected !!