ବାଲିଗୁଡା ,୩୦/୦୩: ସୁକାନ୍ତ କୁମାର ତ୍ରିପାଠୀ
ବାଲିଗୁଡା ସହରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମା’ କାଳୀଙ୍କ ପବିତ୍ର ଦଣ୍ଡଯାତ୍ରା ଅବସରରେ ୩୭ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ ଆସନ୍ତା ଏପ୍ରିଲ ୫ ତାରିଖ ରବିବାର ଦିନ ଆୟୋଜିତ ହେବ। ଏହାକୁ ନେଇ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟକୁ ପହଞ୍ଚିଛି।ଏହି ପରିପ୍ରେକ୍ଷୀରେ ଏପ୍ରିଲ ୧ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ୧୩ ଦିନିଆ ଦଣ୍ଡଯାତ୍ରା ସମୟରେ ସହରରେ ଅଣ୍ଡା, ମାଛ, ମାଂସ, ଶୁଖୁଆ ଭଳି ସମସ୍ତ ଆମିଷ ଖାଦ୍ୟର ବିକ୍ରି ଓ ସେବନ ପୂର୍ଣ୍ଣରୂପେ ବନ୍ଦ ରହିବ। ଏହି ନିଷ୍ପତ୍ତିକୁ ସମର୍ଥନ କରି ସମସ୍ତ ନାଗରିକଙ୍କୁ ସହଯୋଗ କରିବା ପାଇଁ ସମିତି ପକ୍ଷରୁ ଅନୁରୋଧ କରାଯାଇଛି।କାର୍ଯ୍ୟସୂଚୀ ଅନୁଯାୟୀ, ଏପ୍ରିଲ ୫ ସକାଳ ୮ଟାରେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳର ବରଣ କରାଯିବ। ପରେ ଦିବା ୧୧ଟା ୩୦ ମିନିଟରେ ମେନ୍ ରୋଡ଼ରେ ଧୂଳିଦଣ୍ଡ ଅନୁଷ୍ଠିତ ହେବ। ଅପରାହ୍ନ ୪ଟା ୩୦ ମିନିଟରେ ବନ୍ଧପାଖରେ ପାଣିଦଣ୍ଡ ଆୟୋଜନ ହେବ।ସନ୍ଧ୍ୟା ୫ଟାରେ ବଜାର ଛକ ନିକଟରେ ଅଞ୍ଚଳର ସବୁଠାରୁ ଆକର୍ଷଣୀୟ ୧୩ ଦଣ୍ଡର ମହାମିଳନ ଭବ୍ୟ ଭାବେ ଆୟୋଜିତ ହେବ। ଏହା ପରେ ରାତ୍ରି ୮ଟାରୁ ୧୨ଟା ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ରାତ୍ରି ୧୧ଟାରେ ଝୁଣାଦଣ୍ଡର ବିରାଟ ପଟୁଆର ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଦେବ।ଏହି ଦଣ୍ଡଯାତ୍ରା ଏପ୍ରିଲ ୬ ସକାଳ ୮ଟାରେ ସମାପ୍ତ ହେବ। ଏହି ପବିତ୍ର ଅବସରରେ ବହୁ ସଂଖ୍ୟାରେ ଭକ୍ତ ଓ ସାଧାରଣ ଲୋକଙ୍କୁ ଯୋଗଦେବାକୁ ସମିତି ପକ୍ଷରୁ ଆହ୍ୱାନ ଜଣାଯାଇଛି।