ବାଲିଗୁଡା,୨୮/୦୩: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ଓ ଶ୍ରୀରାମ ନବମୀ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହ ଗତକାଲି ପାଳିତ ହୋଇଯାଇଛି। ଏହି ଅବସରରେ ସହରର ବିଭିନ୍ନ ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମମାନଙ୍କ ଆୟୋଜନ କରାଯାଇଥିଲା।ସ୍ଥାନୀୟ ଶ୍ରୀଶ୍ରୀ ହନୁମାନ ମନ୍ଦିର, ପାଟଖଣ୍ଡା ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର ପରିସର, ସବଜେଲ୍ ନିକଟସ୍ଥ ହନୁମାନ ମନ୍ଦିର ଓ ଶ୍ରୀରାମ ମନ୍ଦିରରେ

ହନୁମାନ ଚାଳିଶା ପାଠ, ନାମ ସଂକୀର୍ତ୍ତନ ଓ ହୋମ ଆଦି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପ୍ରଭାତରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତମାନଙ୍କର ଭିଡ଼ ମନ୍ଦିରଗୁଡିକରେ ଦେଖିବାକୁ ମିଳିଥିଲା।ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ସାଇ ଗ୍ଲୋବାଲ ସ୍କୁଲ ପରିସରରେ ମଧ୍ୟ ବିଶେଷ ପୂଜା ଓ ହୋମ କାର୍ଯ୍ୟକ୍ରମ ହୋଇଥିଲା। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଜୀବନ ବିଷୟରେ ଉପଦେଶ ଦେଇଥିଲେ। ପରେ ଛାତ୍ରଛାତ୍ରୀମାନେ

ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ସୀତା ଓ ହନୁମାନଙ୍କ ବେଶରେ ସୁସଜ୍ଜିତ ହୋଇ ଏକ ଆକର୍ଷଣୀୟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।ଶୋଭାଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଘରେ ଘରେ ମହିଳାମାନେ ଝୋଟି ଚିତା ପକାଇ କଳସ ସ୍ଥାପନ କରି ପ୍ରଭୁ ରାମଙ୍କ ପାଦ ପ୍ରକ୍ଷାଳନ କରି ସ୍ୱାଗତ ଜଣାଇଥିଲେ। ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଶିଶୁମାନଙ୍କ ମନରେ ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହ ଜାଗ୍ରତ କରିବା ସହିତ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବାକୁ ପ୍ରେରିତ କରିବା ବୋଲି ସାଇ

ଗ୍ଲୋବାଲ ସ୍କୁଲର ଅଧ୍ୟକ୍ଷ ରବି ନାରାୟଣ ମିଶ୍ର କହିଥିଲେ।ସହରବାସୀମାନେ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଉତ୍ସାହର ସହ ସ୍ୱାଗତ କରି ଉପଭୋଗ କରିଥିଲେ। ଶିକ୍ଷା ସହ ଏଭଳି ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅନୁଷ୍ଠାନର ସମସ୍ତ ସେବାବ୍ରତୀଙ୍କୁ ଲୋକମାନେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ, ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସକ୍ରିୟଭାବେ ସହଯୋଗ କରିଥିଲେ।