ବାଲିଗୁଡା : ୦୭/୦୨ ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଉପଖଣ୍ଡ କ୍ରୀଡା ସଂଘର ଆନୁକୂଲ୍ୟରେ ଚାଲିଥିବା ରାଜ୍ୟ ସ୍ତରୀୟ ଫୁଟବଲ ଚାମ୍ପିୟନସିପ–୨୦୨୬ର ଚତୁର୍ଥ ଦିନର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ଶନିବାର ଅନୁଷ୍ଠିତ ହୋଇଯାଇଛି।

ଏହି ଆକର୍ଷଣୀୟ ମ୍ୟାଚରେ ୟୁଏସସି ବରଗଡ଼ ଦଳ ଓ ଏଫପିଏସଏ ଜଟଣୀ ଦଳ ମଧ୍ୟରେ କଠିନ ପ୍ରତିଯୋଗିତା ହୋଇଥିଲା। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଉଭୟ ଦଳ କୌଣସି ଗୋଲ କରିପାରିନଥିବାରୁ ମ୍ୟାଚ ପେନାଲଟି ସୁଟ୍ଆଉଟକୁ ଯାଇଥିଲା। ପେନାଲଟିରେ ୪–୨ ଗୋଲରେ ବରଗଡ଼ ଦଳ ବିଜୟୀ ହୋଇ ଦ୍ୱିତୀୟ ସେମିଫାଇନାଲକୁ ଉନ୍ନୀତ ହୋଇଛି।

ଏହି ମ୍ୟାଚରେ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଏଲଆଇସି ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ନାୟକ, କୋଟଗଡ଼ ବ୍ଲକ ବିଜେଡି ସଭାପତି ମନୋଜ କୁମାର ସାବତ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀ କୁମାର ନାୟକ, ନଗର ସଭାପତି ଏମ.ଡି. ସାବେଜ, ଉପଦେଷ୍ଟା ଶେଖ ସାଦିକ, ଉପସଭାପତି ସତ୍ୟନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜ୍ୱଳନ ଓ ପ୍ରଥମ ସଟ୍ ମାରି ଖେଳର ଉଦଘାଟନ କରିଥିଲେ।

ବରଗଡ଼ ଦଳର ଖେଳାଳୀ ରାହୁଲଙ୍କୁ ‘ମ୍ୟାନ ଅଫ ଦ ମ୍ୟାଚ’ ଭାବେ ଘୋଷଣା କରାଯାଇଥିଲା। ମ୍ୟାଚଟି ମୁଖ୍ୟ ରେଫେରୀ ଏମ.ଡି. ଶେଖ ଉଦ୍ଦିନଙ୍କ ସହ ବିଶ୍ୱନାଥ କହଁର, ଶମ୍ଭୁନାଥ କହଁର ଓ କାମାକ୍ଷା ପ୍ରସାଦ ପ୍ରଧାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।

ଆସନ୍ତା ୮ ତାରିଖ ପଞ୍ଚମ ଦିନର ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ ଜଗା ଯୁନାଇଟେଡ଼, ଭୁବନେଶ୍ୱର ଓ ଜେ.ଡି. କ୍ଲବ, ଫୁଲବାଣୀ ମଧ୍ୟରେ ଖେଳାଯିବ। ଏହି ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୦ ତାରିଖ ମହିଳା ଫୁଟବଲ ମ୍ୟାଚ ବରଗଡ଼ ଓ ଭୁବନେଶ୍ୱର ମଧ୍ୟରେ ହେବାକୁ ଥିବାବେଳେ ୧୧ ତାରିଖ ଫାଇନାଲ ମ୍ୟାଚ ଓ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।
ପ୍ରତିଦିନ ମ୍ୟାଚ ଅପରାହ୍ନ ୨ଟା ୩୦ମିନିଟରୁ ଆରମ୍ଭ ହେବାକୁ ଥିବା ବେଳେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅପରାହ୍ନ ୨ଟାରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଉପଦେଷ୍ଟା ଦେବବ୍ରତ ସିଂଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ ସହ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।