ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ମୋଟ ୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଲାଗି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ କ୍ୟାବିନେଟ୍‌ ଏମ୍‌ଏମ୍‌ଏସ୍‌ବିୱାଇ- ସ୍ମାର୍ଟ ମିଟର ସଂଯୋଗ ଯୋଜନାର ପ୍ରଥମ ପର୍ଯ୍ୟାୟକୁ ଅନୁମୋଦନ ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ ଏହି ନୂତନ ପଦକ୍ଷେପ ଦ୍ୱାରା ରାଜ୍ୟର ସ୍ୱଳ୍ପ ପରିମାଣର (୨ କିଲୋୱାଟ୍‌ ସମେତ) ବିଦ୍ୟୁତ୍‌ ବ୍ୟବହାର କରୁଥିବା ଉପଭୋକ୍ତା ବିଶେଷ ଭାବେ ଉପକୃତ ହେବେ। ଏହି ଯୋଜନା ଅନ୍ତର୍ଗତ ସ୍ମାର୍ଟ ମିଟର ସଂଯୋଗ ପାଇଁ ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡ଼ିବ ନାହିଁ କିମ୍ୱା ଏହା ଖୁଚୁରା ଯୋଗାଣ ଟାରିଫ୍‌ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏହି ଯୋଜନାକୁ ସମସ୍ତ ବିଦ୍ୟୁତ୍‌ ବିତରଣ କମ୍ପାନୀ ଯଥା ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌), ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌), ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌), ଟିପି ନର୍ଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ନିଜ ନିଜର ଲାଇସେନ୍ସପ୍ରାପ୍ତ ଅଞ୍ଚଳରେ କାର୍ଯ୍ୟକାରୀ କରିବେ। ୨୦୨୫ ମାର୍ଚ୍ଚ ୨୪ରୁ ରିଟେଲ୍‌ ସପ୍ଲାଏ ଟାରିଫ୍‌ ଅର୍ଡର ଅନୁଯାୟୀ, ୨ କିଲୋୱାଟ୍‌ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ଡିମାଣ୍ଡ (ସିଡି) ଥିବା ସ୍ମାର୍ଟ ମିଟର ଉପଭୋକ୍ତାଙ୍କ ପାଇଁ ୧ ଏପ୍ରିଲ ୨୦୨୫ରୁ ମିଟର ଭଡ଼ା ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ୨ କିଲୋୱାଟ୍‌ ପର୍ଯ୍ୟନ୍ତ କଣ୍ଟାକ୍ଟ ଡିମାଣ୍ଡ(ସିଡି)ଥିବା ଉପଭୋକ୍ତାଙ୍କ ପାଇଁ ୧୧,୫୩,୧୦୦ଟି ସ୍ମାର୍ଟ ମିଟର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି। ଏଥିମଧ୍ୟରୁ ୮,୭୫,୦୦୦ ପୁରୁଣା ମିଟର ବଦଳରେ ସ୍ମାର୍ଟ ମିଟର ଲଗାଯିବ ଏବଂ ପ୍ରାୟ ୨,୭୮,୧୦୦ଟି ନୂତନ ସଂଯୋଗ ପାଇଁ ସ୍ମାର୍ଟ ମିଟର ବ୍ୟବହାର କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି।

You might also like
error: Content is protected !!