ବୁଧେଇ ଓଷା ବା ବୁଧିବାମନ ଓଷା

ଭାଦ୍ରବ ମାସରେ ପାଳନୀୟ ଅନେକ ଓଷାବ୍ରତ ମଧ୍ୟରୁ ଗୋଟିଏ ହେଉଛି ‘ବୁଧେଇ ଓଷା’। ଏହାକୁ ‘ବୁଧିବାମନ ଓଷା’ ମଧ୍ୟ କହନ୍ତି। ଦେବତାମାନଙ୍କର ରାଜକୁମାର ଭାବରେ ପରିଚିତ ବୁଧଗ୍ରହଙ୍କ ନାମାନୁସାରେ ସପ୍ତାହର ଗୋଟିଏ ବାରର ନାମ ବୁଧବାର। ଏହି ବାରରେ ବୁଧେଇ ଓଷା ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପରଦିନଠାରୁ ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁପୂର୍ଣ୍ଣିମା ପର୍ଯ୍ୟନ୍ତ, ପ୍ରତ୍ୟେକ ବୁଧବାରରେ ସଧବା ସ୍ତ୍ରୀ ମାନେ ଉପବାସ ରହି ଏହି ବ୍ରତପାଳନ କରିଥାନ୍ତି। ବୁଦ୍ଧି ବା ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ବାମନ କହିଲେ ଭୈରବ, ଯିଏ ସ୍ଵୟଂ ଜଗନ୍ନାଥ । ଅତଏବ ଏହି ଓଷାରେ ଆରାଧ୍ୟ ଦେବଦେବୀ ହେଲେ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶ୍ରୀ ବିମଳା ଠାକୁରାଣୀ । ସଧବା ନାରୀ ମାନେ ଏହି ଓଷା ପାଳନ କରନ୍ତି । ଶିଳ ଏବଂ ଶିଳପୁଆ ରେ ଦେବାଦେବୀଙ୍କୁ ପୁଜା କରନ୍ତି । ଏହି ବ୍ରତରେ ଗୋଟିଏ ଶିଳ ଓ ଶିଳପୁଆକୁ ଧୋଇ, ପୋଛି ଏକ ପିଢ଼ାର ଆସ୍ଥାନ ଉପରେ ସ୍ଥାପନ କରାଯାଏ। ଅଁଳାକୁ ଗଙ୍ଗାଜଳରେ ଧୋଇ, ତା’ ସହିତ ହଳଦୀ ଓ ମେଥି ବାଟି, ସେଥିରେ ଦୁଇଟି ମୂର୍ତ୍ତି ଶିଳ ଓ ଶିଳପୂଆ ଉପରେ ପ୍ରସ୍ତୁତ କରାଯାଏ। ଏହି ଦୁଇ ମୂର୍ତ୍ତିଙ୍କର ନାମ ‘ବୁଧେଇ’ ଓ ‘ସୁଧେଇ’। କଉଡ଼ି ଓ ଗଳିଗୁଆରେ ସେହି ମୂର୍ତ୍ତିଙ୍କର ଆଖି, ନାକ, କାନ ଓ ପାଟି ଆଦି ତିଆରି କରି, ଆଖିରେ କଜ୍ଜ୍ୱଳ ଓ ମଥାରେ ସିନ୍ଦୂର ଲଗାଯାଏ। ହଳଦିଆ ଫୁଲ ଓ ବେଲପତ୍ରରେ ମୂର୍ତ୍ତିଙ୍କୁ ସଜାଇ, ନାଲିଶାଢ଼ି ପିନ୍ଧାଇ ଓଢ଼ଣା ଦିଆଯାଏ। କେତେକ ସ୍ଥାନରେ ଫୁଲମାଳ ସହିତ ସେହି ହଳଦୀରେ ଗଢ଼ା ପ୍ରତିମାଙ୍କୁ ଖଇମାଳ ମଧ୍ୟ ପିନ୍ଧାଯାଏ। ଓଷା କୋଠି ଆଗରେ ପାହାଡ଼ା ପଡ଼ିଥାଏ। ପାଞ୍ଚରଙ୍ଗର ଫୁଲ, ପାଞ୍ଚରଙ୍ଗର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୂବ ଓ ପାଞ୍ଚଟି ଅକ୍ଷତ ରଖି, ଆସ୍ଥାନ ପାଖରେ ସଂକଳ୍ପ ନଡ଼ିଆ ଥାପି ପୂଜା ଆରମ୍ଭ କରାଯାଏ। ବୁଧେଇ ଓଷା ବ୍ରତକଥା ବହି ପଢ଼ାହୁଏ। ବୁଧେଇ ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା ଭାଦ୍ରବ ମାସର ୪ଟି କିମ୍ବା ପାଞ୍ଚଟି ବୁଧବାରରେ ପାଳିତ ହୁଏ । କେତେକ ସ୍ଥାନରେ ୪ଟି ବୁଧବାରରେ ପାଳିତ ହୁଏ ।ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ । ବୁଦ୍ଧିବାମନ ଓଷାର ପରମ୍ପରା ମତେ ପୂଜାସ୍ଥଳୀଟିକୁ ଗୋବରଲିପି ଶୁଚି କରାଯାଏ । ଏଥିରେ ବେଲପତ୍ର, ଫୁଲମାଳ ଏବଂ ଖଇମାଳରେ ଠାକୁରଙ୍କୁ ଲାଗି କରାଯାଏ । ପ୍ରଥମ ପାଳିରୁ ଏଥିରେ ଗୋଟିଏ ନଡ଼ିଆ ବସାଯାଇ, ଶେଷ ପାଳିଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝିପାଳି ଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । ତେବେ ଶେଷ ପାଳି ଦିନ ଅନ୍ତତଃ ପାଞ୍ଚପ୍ରକାର ପିଠାପଣା କରାଯାଏ । ପ୍ରତ୍ୟେକ ବୁଧବାର ଦିନଯାକ ଉପବାସ କରି ରାତିରେ ପୂଜାପରେ ଭୋଗ ଖିଆଯାଏ । ଶିଳ ଏବଂ ଶିଳପୁଆ ଏହାର ଦେବଦେବୀ ଅଟନ୍ତି । ପ୍ରଥମେ ଏହି ଶିଳ ଏବଂ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନ କରାଯାଇ, ହଳଦୀକନା ଓ ସୂତା ଗୁଡ଼ାଇ ନାରୀବେଶ କରାଯାଏ । ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଦିଆଯାଏ । ବୁଦ୍ଧିବାମନଙ୍କ ଓଷା ପାଇଁ ସ୍ୱତନ୍ତ୍ର ବହି ଅଛି । ଏହା ପାଞ୍ଚଟି କାହାଣୀକୁ ନେଇ ରଚିତ, କାହାଣିଗୁଡ଼ିକ ହେଲା: ମଗଧର ସାଧବ ସାଧବାଣୀ, ଯଯାତିନଗରର ଶୁଣ୍ଢି-ଶୁଣ୍ଢିଆଣୀ, ଯାଜପୁରର ବନ୍ଧୁ ମହାନ୍ତି, ଗର୍ଭଶୂନ୍ୟା ବ୍ରାହ୍ମଣୀ ଓ ହରିପୁରର ଜଣେ ସାଧାରଣ ନାରୀ । ବିଶ୍ୱାସ କରାଯାଏ ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଗୋଟେ ଶାଢି, ପୂଜାଘର ଦୁଆର ମୁହଁରେ ପକାଇଲେ, ସମସ୍ତଙ୍କ ପବିତ୍ର ପଦସ୍ପର୍ଶ ଯୋଗୁଁ ସେ କୃତାର୍ଥ ହୁଏ ଏବଂ ସନ୍ତାନ ପ୍ରସବା ହୁଏ । ଏହି ଲୁଗାକୁ ପାହାଡା କୁହାଯାଏ ।

Smart Computer Ad
You might also like
error: Content is protected !!