ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଆସିଥିଲେ l କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଛତ୍ରପୁରର ମାଟିଖାଲରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍ ପରିସରରେ ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ବିଶୋଧନ ଜଳ ବିତରଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଓ୍ୱାଟର୍ ୟୁନିଟ ପରିଦର୍ଶନ କରିଥିଲେ l ଆଜି ଯେଉଁ ପଦକ୍ଷେପର ଶୁଭାରମ୍ଭ ହୋଇଛି ତାହା ସାମୁଦ୍ରିକ ଲୁଣି ଜଳକୁ ମଧୁର ଜଳରେ ପରିଣତ କରିବା ଦିଗରେ ପ୍ରକ୍ରିୟାକରଣର ଏକ ପ୍ରକଳ୍ପ । ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳର ଏକ ନିର୍ଭରଯୋଗ୍ୟ ଉତ୍ସ ପ୍ରଦାନ କରିବ l ସ୍ଥାନୀୟ ଅଞ୍ଚଳ ପାଇଁ ଦୀର୍ଘ ଦିନ ଧରି ଏକ ଚ୍ୟାଲେଞ୍ଜ ହୋଇ ରହିଥିବା ଜଳ ଆବଶ୍ୟକତାକୁ ପୂରଣ କରିବ । ଆଜିର ପଦକ୍ଷେପ ପାଇଁ ସୁସ୍ଥ ସମାଜ ଗଠନ କରିବା ତଥା ସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଆଇଆରଇଲକୁ ସେ ଧନ୍ୟବାଦ ଜଣାଇଛନ୍ତି l ବିଗତ ୪୦ରୁ ୪୫ ବର୍ଷ ଧରି ଦେଶର ବିକାଶ ପାଇଁ ବିରଳ ମୃତ୍ତିକା କାମ କରୁଛି l ତଟବର୍ତ୍ତୀ ଅଞ୍ଚଳରେ ବିଶୁଦ୍ଧ ପାଣିର ସମସ୍ୟା ଥାଏ l ସେ ଦିଗରେ ଆଜି ଆଇଆରଇଏଲ ତରଫରୁ ସିଏସଆର ପ୍ରକଳ୍ପ ଅଧୀନରେ ଆଖପାଖ ଗାଁକୁ ପାଣିର ବ୍ୟବସ୍ଥା କରାଯିବା ସାଧୁ ଉଦ୍ୟମ l ସମୁଦ୍ର ଲୁଣିପାଣିକୁ ମଧୁର ଜଳରେ ପରିଣତ କରି ଲୋକଙ୍କୁ ପ୍ରଦାନ କରିବା କାର୍ଯ୍ୟ ଏହା ରାଜ୍ୟରେ ସମ୍ଭବତଃ ପ୍ରଥମ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀ,ଆସ୍କା ସାଂସଦ ଅନିତା ଶୁଭଦର୍ଶୀନୀ,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
