ବ୍ରହ୍ମପୁର, 06/06/2025[ବିଚିତ୍ର ସାହୁ]- ଓଡିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଂଜାମ ଜିଲ୍ଲା ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଳକର ଏକ ସାଧାରଣ ବୈଠକ କନିଷି ଠାରେ ବ୍ଲକ ସଭାପତି କେ.କୃଷ୍ଣମୂର୍ତ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲା ସଂପାଦକ ପ୍ରଦୀପ କୁମାର ସାହୁ, ରାଜ୍ଯ ସଂପାଦକ ଶ୍ଯାମସୁନ୍ଦର ଖାଡ଼ଙ୍ଗା ଓ ଜିଲ୍ଲା କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ମିଶ୍ର ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଗତ ପାର୍ଲିଆମେଣ୍ଟ ଅଧିବେଶନରେ ଆଗାମୀ 2026 ଜାନୁଆରୀ ଠାରୁ ଅଷ୍ଟମ ବେତନ କମିଶନଙ୍କ ଲାଗୁକରିବା ଏବଂ ଏଥିରେ ୟୁପିଏସ୍ କର୍ମଚାରୀଙ୍କ ପାଇଁ ଲାଗୁ କରିବା ନିଷ୍ପତ୍ତିକୁ ସ୍ବାଗତ କରାଯାଇଥିଲା।କିନ୍ତୁ ଏଥିରେ ଲକ୍ଷ ଲକ୍ଷ ଓପିଏସ୍ ପେନସନ ଭୋଗୀ (1-1-2024 ପୂର୍ବ ପେନସନର୍ସ)ଙ୍କୁ ସାମିଲ କରିବା ପାଇଁ କୌଣସି ସ୍ପଷ୍ଟତା ନଥିବା ଯୋଗୁଁ ସନ୍ଦେହ ଓ ଅସନ୍ତୋଷ ସୃଷ୍ଟି ହୋଇଛି।ବିଗତ ସାତଗୋଟି କମିଶନଙ୍କ ସମସ୍ତ ଆନୁଷଙ୍ଗିକ ସୁବିଧାକୁ ସଙ୍କୁଚିତ କରିବା ପାଇଁ ମସୁଧା ଚାଲିଥିବା ଏବଂ ସପ୍ତମ କମିଶନଙ୍କ ନିର୍ଦ୍ଦେଶକୁ ଉଛେଦ କରିବା ପାଇଁ ନିଆଯାଉଥିବା ପ୍ରସ୍ତାବକୁ ବିରୋଧ କରାଯାଇ ଥିଲା।ସର୍ବ ଭାରତୀୟ ରାଜ୍ଯ ପେନସନର୍ସ ଫେଡେରେସନର ନିର୍ଦ୍ଦେଶ ଅନୁଯାଇ ଦେଶର ସମସ୍ତ ରାଜ୍ଯର ଜିଲ୍ଲା ପେନସନର୍ସ ସଂଘର ସମସ୍ତ ସଦସ୍ଯ ସଂପୃକ୍ତ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ସରକାର ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ନେଇ ଓପିଏସ୍ ପେନସନର୍ସଙ୍କୁ ପୂର୍ବ ସୁବିଧାସୁଯୋଗରୁ ବଞ୍ଚିତ ନକରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଆଗାମୀ ଜୁନ୍ 23 ତାରିଖ ଦିନପତ୍ର ପ୍ରେରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଉକ୍ତ ବୈଠକରେ ଅଧ୍ୟାପକ ଦେବଦତ୍ତ ଚୌଧୁରୀ, ହରିହର ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବିଷୟ ଜିଲ୍ଲା ସଭାପତି କାମରାଜୁ ମହାରଣାଙ୍କ ସୂତ୍ରରୁ ପ୍ରକାଶ।