ଭତ୍ତା ଅପେକ୍ଷାରେ ୪୨୬ ଜଣ ହିତାଧିକାରୀ

ଆର,ଉଦୟଗିରି,(ମନୋଜ କୁମାର ପାଢୀ):-

କେନ୍ଦ୍ର ଓ ରାଜ୍ୟ ସରକାର ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସାମାଜିକ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ ମାସିକ ଭତ୍ତା ପ୍ରଦାନ କରୁଛନ୍ତି। ତଥାପି ଏହାର ସୁଫଳ ଅନେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଭତ୍ତା ପାଇବାକୁ
ଯୋଗ୍ୟ ହିତାଧିକାରୀ ମାନେ ବାରମ୍ବାର ସାମାଜିକ ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ସୁଦ୍ଧା ଏଥିପ୍ରତି ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଅବହେଳା ଯୋଗୁଁ ନୂଆଗଡ଼ ବ୍ଲକ୍ ର ୧୯ ଗୋଟି ଗ୍ରାମ ପଞ୍ଚାୟତର ଅନେକ ଯୋଗ୍ୟ ହିତାଧିକାରୀ ମାସ ମାସ ଧରି ଭତ୍ତା ପାଇବା ଆଶାରେ ରହିଛନ୍ତି। ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ର ୧୯ ଗୋଟି ପଞ୍ଚାୟତର ସର୍ବମୋଟ ୪୨୬ ଜଣ ହିତାଧିକାରୀ ଭତ୍ତା ପାଇବା ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରିଛନ୍ତି। ଭତ୍ତା ପାଇଁ ଦୀର୍ଘଦିନ ହେଲା ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଭତ୍ତା ନମିଳିବାରୁ ଚାତକ ପରି ଚାହିଁ ବସିଛନ୍ତି। ସରକାରଙ୍କ ନିୟମାନୁଯାୟୀ ୬୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧାଙ୍କ ସମେତ ୪୦ ପ୍ରତିଶତରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଓ ବିଧବା ମହିଳାଙ୍କୁ ଭତ୍ତା ପ୍ରଦାନ କରିବା ଲାଗି ମଧୁବାବୁ ପେନସନ୍ ଯୋଜନା, ଜାତୀୟ ପେନସନ୍ ଯୋଜନା, ଆଦି ବିଭିନ୍ନ ଯୋଜନା ବ୍ୟବସ୍ଥା କରିଥିଲେ ମଧ୍ୟ ସରକାର ହିତାଧିକାରୀ ମାନଙ୍କ ସମସ୍ୟା ପ୍ରତି ଆଦୌ ଧ୍ୟାନ ଦେଉ ନଥିବାରୁ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହିତାଧିକାରୀ ମାନଙ୍କ ସମସ୍ୟା ଗୁଡ଼ିକ ହସ୍ତକ୍ଷେପ କରି ଏହିଭଳି ସମସ୍ୟାକୁ ଅତି ଗମ୍ଭୀରତାର ସହ ବିଚାର କରି ଅବିଳମ୍ବେ ତୁରନ୍ତ ଭତ୍ତା ପ୍ରଦାନ କରାଯାଉ ବୋଲି ଅଞ୍ଚଳର ଯୋଗ୍ୟ ହିତାଧିକାରୀ ସରକାରଙ୍କୁ ଦାବି କରିଛନ୍ତି। ନୁଆଗଡ ବ୍ଳକରେ ନିଯୁକ୍ତି ପାଇଥିବା ସାମାଜିକ ସୁରକ୍ଷା ଅଧିକାରୀ ମାସର ଅଧିକାଂଶ ସମୟ ନିଜ ବ୍ଳକରେ ପାରଳାଖେମଣ୍ଡି ଠାରେ ରହୁଥିବା ଯୋଗୁଁ ବ୍ଳକ ଆସି ଭତ୍ତାଧାରୀ ମାନେ ଅଧିକାରୀଙ୍କୁ ନପାଇ ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି । ଏହି ବିଷୟ ନେଇ ବ୍ଳକକୁ ବହୁବାର ଭତ୍ତା ଧାରି ଅଭିଯୋଗ କରିଥିବା ଆମ ପ୍ରତିନିଧିଙ୍କୁ ଭତ୍ତାଧାରୀମାନେ ଅଭିଯୋଗ କରିଥିଲେ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ନୁଆଗଡ ବ୍ଳକର ଭତ୍ତାଧାରୀ ମାନେ ଅନୁରୋଧ କରିଛନ୍ତି ।

You might also like
error: Content is protected !!