ପ୍ରଶାସନିକ ଅବହେଳା ଯୋଗୁ ବିଭ୍ରାଟ : ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି

ନୟାଗଡ, (ପ୍ରଭାକର ଶିରୋମଣି ):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠ ବହୁ ସମସ୍ୟା ନୀଳମାଧଵ ଘେରରେ ରହିଥିବା ଓ ଏ ସମ୍ବନ୍ଧରେ ନୟାଗଡ ଜିଲ୍ଲା ପ୍ରଶାସନ କି ଦେବୋତ୍ତର ବିଭାଗ କେହି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ, ଶନିବାର ମଧ୍ୟାହ୍ନ ଧୂପ ସମୟରେ କେତେକ ବାହାର ଯାତ୍ରୀ ମନ୍ଦିର ଭିତରକୁ ପଶି ଯାଇଥିଲେ ଫଳରେ ପ୍ରସାଦ ମାରା ହୋଇ ଯିବାରୁ ନୀତିରେ ବିଳମ୍ବ ହୋଇଥିଲା ତେଣୁ ଵିଧି ଅନୁସାରେ ପ୍ରସାଦ ସବୁକୁ ପୋତିବାକୁ ପଡିଥିଲା । ଉଲ୍ଲେଖ ଯୋଗ୍ୟ ଯେ, ଇତି ମଧ୍ୟରେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହୁଥିବାରୁ ଭିତର ଗମ୍ଭରାରେ ମନଇଚ୍ଛା ପଶି ଯାଉଥିବା ଦେଖା ଯାଉଛି ଓ ଗହଳି ସମୟରେ କିମ୍ବା ଭୋଗ ବଢ଼ା ହେଲା ବେଳେ ଦୁଆରୀ କିମ୍ବା ଦେବୋତ୍ତର କର୍ମଚାରୀ ଜଗୁ ନ ଥିବାରୁ ଓ ମନ୍ଦିର ପାଇଁ ସ୍ଥାୟୀ ପୁଲିସ ବ୍ୟବସ୍ଥା ନଥିବାରୁ ସବୁ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଅପର ପକ୍ଷରେ ନୀଳମାଧଵ ମନ୍ଦିର ପରିଚାଳନା ପାଇଁ ଏକ ପରାମର୍ଶ ଦାତା କମିଟି ବିଗତ ୫୦ ବର୍ଷ ରୁ ଉର୍ଦ୍ଧ୍ୱ ରାଜ୍ୟ ଦେବୋତ୍ତର କମିଶନର ଦୁଇ ବର୍ଷ ପାଇଁ ନିଯୁକ୍ତି ଦେଇ ଆସୁଥିଲା ବେଳେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ନଦେଇ ପ୍ରଶାସନ ନୀରବରେ ବସି ରହିଥିବା ଗୁରୁତର ଅଭିଯୋଗ ହୋଇ ଆସୁଛି ଏପରିକି ମନ୍ଦିର ପାଇଁ ଏକ ଟ୍ରଷ୍ଟ ଗଠନ ପାଇଁ. ଚଳିତ ବିଧାନ ସଭାରେ ଖଣ୍ଡପଡା ମାନ୍ୟବର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଇନ ବିଭାଗ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ମନ୍ଦିର ପରିଚାଳନା ପାଇଁ ଜଣେ ମ୍ୟାନେଜର ରହିଥିଲା ବେଳେ ସେ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ସ୍ଥାନ ପୂରଣ ହେଉ ନ ଥିବାରୁ ମନ୍ଦିରରେ ବିଭିନ୍ନ ପ୍ରକାର ଅଶାନ୍ତି ଓ ବିଭ୍ରାଟ ଲାଗି ରହିଛି l