ଦିନକ ପରେ ମହାଶିବରାତ୍ରୀ ଭୁବନେଶ୍ୱରରେ କମିସନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି
ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଜାଗର ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜାଗର ପାଇଁ ସମସ୍ତ ଶୈବ ପୀଠରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ମହାଶିବରାତ୍ରୀ ନେଇ ଗତ ମଙ୍ଗଳବାର ଦିନ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳନ ହେବାକୁ ଥିବା ମହାଶିବରାତ୍ରି ପୂର୍ବ ସନ୍ଧ୍ୟାରେ ଯାନବାହାନ ଚଳାଚଳ ସୁଗମ କରିବା, ଭିଡ଼ ନ କରିବା ଏବଂ ପଦଯାତ୍ରୀଙ୍କ ପାଇଁ କୌଣସି ବାଧା ନ ସୃଷ୍ଟି କରିବା ପାଇଁ କେତେକ ନିୟମାବଳୀ ଲାଗୁ କରାଯାଉଛି । କେଉଟ ସାହି ପାର୍ଶ୍ୱରୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକୁ ଶ୍ରୀରାମ ନଗରରୁ ବିଏମସି ମାର୍କେଟ୍ କମ୍ପ୍ଲେକ୍ସ/ଅନନ୍ତ ବାସୁଦେବ ପାର୍କିଂ ଏବଂ ସବ-ଷ୍ଟେସନ୍ ଛକ ଦେଇ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନକୁ ସ୍ଥାନାନ୍ତର କରାଯିବ । ବଢ଼େଇବାଙ୍କ ଛକ ପରେ ତାରା ସୁନ୍ଦରୀ ରାସ୍ତାରୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ଯାନବାହାନଗୁଡ଼ିକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଯାନବାହନଗୁଡ଼ିକୁ ପାର୍କିଂ ପାଇଁ ମ୍ୟୁନିସିପାଲିଟି ହସ୍ପିଟାଲରୁ ବିଏମ୍ ହାଇସ୍କୁଲ ପଡ଼ିଆକୁ ଡାଇଭର୍ଟ କରାଯିବ । ସାମନ୍ତରାପୁର ପାର୍ଶ୍ୱରୁ ଆସୁଥିବା ଯାନବାହାନଗୁଡ଼ିକୁ ଶ୍ରୀରାମ ନଗର ଦେଇ ଚଳାଚଳ କରିବାକୁ ଅନୁମତି ଦିଆଯିବ । ଏହା ସବଷ୍ଟେସନ ଛକରେ ମିଶିବ । ଯେଉଁଠାରେ ସେଗୁଡ଼ିକୁ ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ୱ ଏବଂ ତରଙ୍ଗା କ୍ଲବ୍ର ପଛ ପାର୍ଶ୍ୱ ପାର୍କିଂ ପାଇଁ ସ୍ଥାନାନ୍ତର କରାଯିବ। ରଥ ରୋଡ ଏବଂ ପୁନାମା ଗେଟ ପାର୍ଶ୍ୱରୁ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଯାନବାହନଗୁଡ଼ିକ (ଚାରି ଚକିଆ ଏବଂ ଦୁଇ ଚକିଆ) ବଢ଼େଇବାଙ୍କ ଛକରୁ ବିଏମ୍ ହାଇସ୍କୁଲ ପଡ଼ିଆ ଆଡ଼କୁ ପାର୍କିଂ ପାଇଁ ଡାଇଭର୍ଟ କରାଯିବ । ଏହି ସମୟ ମଧ୍ୟରେ ରଥ ରୋଡରେ କୌଣସି ଭାରି ଯାନ ଚଳାଚଳ କରିପାରିବ ନାହିଁ । କେଦାର ଗୌରୀ ମନ୍ଦିର ପାର୍ଶ୍ୱ ଏବଂ ସାନିଟାରିୟମ୍ ଛକ ପାର୍ଶ୍ୱରୁ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଗାଡ଼ିଗୁଡ଼ିକ କଚେରାପିଣ୍ଡି ଛକ ଦେଇ କୋଟି ତୀର୍ଥ ଲେନ୍ ବ୍ୟବହାର କରିପାରିବେ ଏବଂ ତରଙ୍ଗା କ୍ଲବ୍ର ପଛ ପାର୍ଶ୍ୱରେ ଥିବା ଖାଲି ସ୍ଥାନରେ ସେମାନଙ୍କର ଗାଡ଼ି ପାର୍କ କରିପାରିବେ । ଏଥିପାଇଁ ସିଦ୍ଧି ମଣ୍ଡପ ଲେନ୍ ପାର୍ଶ୍ୱରୁ କୋଟି ତୀର୍ଥ ଲେନ୍ ଦେଇ ଯାନବାହାନ ଚଳାଚଳକୁ ଏକମୁହାଁ କରାଯିବ ।ଏହି ନିୟମାବଳୀ ୨୫ ଫେବ୍ରୁଆରି ୨୦୨୫ ମଧ୍ୟରାତ୍ରରୁ କାର୍ଯ୍ୟକାରୀ ହେବ ବୋଲି କମିସନରେଟ୍ ପୋଲିସ ଏକ ବିଜ୍ଞପ୍ତିରେ କହିଛି ।