ପ୍ରଶାସନିକ ସମନ୍ୱୟ ଅଭାବ ଯୋଗୁଁ ଗଞ୍ଜାମ ଜିଲ୍ଲାରେ କନିଷ୍ଠ ଶିକ୍ଷକମାନେ ନିୟମିତ ଶିକ୍ଷକ ମାନ୍ୟତାରୁ ବଞ୍ଚିତ, ୩ ମାସ ହେବ ଦରମା ବନ୍ଦ

ବ୍ରହ୍ମପୁର ୧୨/ଫେବୃଆରୀ (ବ୍ୟୁରୋ) : ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ବିଭାଗର ସମନ୍ୱୟ ଅଭାବ ଯୋଗୁଁ ଗଞ୍ଜାମ ଜିଲ୍ଲାର ୪୫୭ ଜଣ କନିଷ୍ଠ ଶିକ୍ଷକ ନିୟମିତ ଶିକ୍ଷକର ମାନ୍ୟତା ପାଇବାରୁ ବଞ୍ଚିତ ହେବା ସହ ଗତ ୩ ମାସ ହେବ ଦରମା ପାଇ ନ ଥିବା ସୂଚନା ମିଳିଛି । ସଂପୃକ୍ତ ଶିକ୍ଷକମାନେ ଗତ ବର୍ଷ ଏପ୍ରିଲ ଏକ ତାରିଖରୁ ୬ ବର୍ଷ ସମ୍ପୂର୍ଣ୍ଣ କରିଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାରେ ସେମାନଙ୍କୁ ନିୟମିତ କରିବାରେ ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନର କାଳକ୍ଷେପଣ ନିତିରେ ସଂପୃକ୍ତ ଶିକ୍ଷକମାନେ ଅତିଷ୍ଟ ହେବା ସହ ମାନସିକ ଅଶାନ୍ତିରେ ରହୁଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ସର୍ତ୍ତ ପୂରଣ କରିଥିବା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇ ଥିବା ବେଳେ କେବଳ ଜିଲ୍ଲା ପ୍ରଶାସନର ଅବହେଳା କାରଣରୁ ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବାରେ ବ୍ୟତିକ୍ରମ ଦେଖାଦେଇଛି ।

ଅନ୍ୟ ପକ୍ଷରେ ୪ ଦଫା ଦାବି କରି ଓସେପାର ବ୍ଳକସ୍ତରୀୟ ହିସାବ ରକ୍ଷକ ସଂଘ ଓ ବି ଇ ଓ ସ୍ତରର ଏମ୍‌.ଆଇ. ଏସ୍‌., ଆସୋସିଏସନ୍ ସଂପ୍ରତି ସମୂହ ଛୁଟିରେ ରହିଥିବା ନେଇ ଶିକ୍ଷକମାନଙ୍କ ଦରମା ବିଲ କରିବାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥାରେ ଶିକ୍ଷକମାନଙ୍କ ଦରମା ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଭାଗୀୟ ସମନ୍ୱୟ ରହୁ ନ ଥିବା ଯୋଗୁଁ ଆଜି ସୁଦ୍ଧା ଶିକ୍ଷକମାନେ ଦରମା ପାଇବାରୁ ବଞ୍ଚିତ ଅଛନ୍ତି । ଏ ସମ୍ପର୍କରେ ସଂପୃକ୍ତ ଶିକ୍ଷକମାନେ ବ୍ୟକ୍ତିଗତ ଏବଂ ସେମାନଙ୍କ ସଂଘ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅଭିଯୋଗ ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରିଛନ୍ତି ଏବଂ ତୁରନ୍ତ ବକେୟା ଦରମା ସହ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ ଅନ୍ୟ ଏକ ପତ୍ରରେ ନିବେଦନ କରିଛନ୍ତି । ଏପରିକି ଏହାର ସମାଧାନ ଶୀଘ୍ର ନ ହେଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବା ନେଇ ଆଲୋଚନା ଚାଲିଥିବା ସୂଚନା ମିଳିଛି ।

You might also like
error: Content is protected !!