ଉତ୍କଳ ସାମ୍ବାଦିକ ସଂଘ ବ୍ରହ୍ମପୁର ଶାଖାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର ୧୨/ଫେବୃଆରୀ (ବ୍ୟୁରୋ) : ଗତ ରବିବାର ଦିନ ବ୍ରହ୍ମପୁରସ୍ଥିତ ରାଜସ୍ୱ ଡ଼ାକ ବଙ୍ଗଳା ସମ୍ମିଳନୀ କକ୍ଷରେ ସଂଘର ସଭାପତି କ୍ଷେତ୍ରବାସୀ ରଥଙ୍କ ସଭାପତିତ୍ୱରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକମାନଙ୍କ ବୃତ୍ତିଗତ କାର୍ଯ୍ୟ ସମାପନ କରିବାରେ ଦେଖା ଦେଇଥିବା ଅସୁବିଧା ଦୂର କରିବାରେ ଏହି ସଂଘ ସରକାରଙ୍କ ସହ ଆଲୋଚନା କରିବାକୁ ସଦାସର୍ବଦା ପ୍ରସ୍ତୁତ ରହିଥିବା ସଭାପତି ଘୋଷଣା କରିବା ସହ ସମସ୍ତ ସାମ୍ବାଦିକ ମାନେ ତାଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଆଗାମୀ ଦିନରେ ଏହି ସଂଘ ଜନସେବାମୂଳକ କାମ କରିବା ସହ ଗଠନମୂଳକ ସମାଲୋଚନା ନିଜ ନିଜ ଲେଖନୀ ମାଧ୍ୟମରେ ପ୍ରକାଶ କରି ସମାଜକୁ ଦିଗ୍‌ଦର୍ଶନ ପ୍ରଦାନ କରନ୍ତୁ ବୋଲି ଉପ-ସଭାପତି ହେମନ୍ତ କୁମାର ପାତ୍ର ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ । ସଂଘର ସଭ୍ୟ ଚୟନବେଳେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଙ୍ଗଠନ ସମ୍ପାଦକ ମନୋରଞ୍ଜନ ଦଳେଇ ପରାମର୍ଶ ଦେଇଥିଲେ । ସଂଘର ଆଗାମୀ କାର୍ଯ୍ୟପନ୍ଥା ଏବଂ ଆଭିମୁଖ୍ୟ ସମ୍ପର୍କରେ ସମ୍ପାଦକ ରାଜେନ୍ଦ୍ର ସାହୁ ବିବରଣୀ ପାଠ କରିଥିଲେ । ସଂଘର ପ୍ରମୁଖ ପରାମର୍ଶଦାତା ମାନଙ୍କ ସମେତ କାର୍ଯ୍ୟକାରିଣୀ ପରିଷଦର ୧୫ ଜଣ ସଭ୍ୟ ଏବଂ କର୍ମକର୍ତ୍ତା ଏହି ବୈଠକରେ ନିଜ ନିଜର ମତ ପ୍ରଦାନ କରିଥିଲେ । ଚଳିତ ବର୍ଷ (୨୦୨୫) ସଦସ୍ୟତା ଗ୍ରହଣ ପାଇଁ ଆସନ୍ତା ଏପ୍ରିଲ୍ ୨୫ ତାରିଖ ଶେଷ ଦିବସ ବୋଲି ସଂଘ ତରଫରୁ ଘୋଷଣା କରାଯାଇଛି । ବିଭିନ୍ନ ଅଞ୍ଚଳରୁ ୩୫ ଜଣ ସାମ୍ବାଦିକ ଏହି ବୈଠକରେ ଉପସ୍ଥିତ ଥିଲେ ।

You might also like
error: Content is protected !!