ଶ୍ରୀ ନୀଳମାଧଵଙ୍କ ସୁନାବେଶ ୧୩ ରେ 

ନୟାଗଡ଼(ପ୍ରଭାକର ଶିରୋମଣି,୯/୧):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ବିଜେ ଶ୍ରୀ ଶ୍ରୀ  ନୀଳମାଧଵ ଜୀଉଙ୍କ ପାରମ୍ପରିକ ସୁନା ବେଶ ଆସନ୍ତା ପୌଷ ପୂର୍ଣ୍ଣିମା ୧୩ ତାରିଖରେ ଅନୁଷ୍ଠିତ ହେବାର କାର୍ଯ୍ୟ କ୍ରମ ରହିଛି l ଚଳିତ ବର୍ଷ ଶ୍ରୀ ଜୀଉ ଅନ୍ୟ ଅଳଙ୍କାର ସହିତ  ସୁନାରେ ନିର୍ମିତ ଶ୍ରୀ ପୟର ଲାଗି ହେବାପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ନୀଳମାଧଵ ପୂଜକ ସମାଜ ଉପଦେଷ୍ଟା ନିହାର ରଞ୍ଜନ ମିଶ୍ରଙ୍କ ଠାରୁ ଜଣାଯାଇଛି  l 
             ପ୍ରତି ଵର୍ଷ ଭଳି ସୁବର୍ଣ୍ଣ ଅଳଙ୍କାର ତଥା କିରଟି, ଚୁଳ,ମୁଖ ମଣ୍ଡଳ, ମଣି ଖଚିତ ଚିତା, ସେବତୀ, ମାଳି, ଚକିଆ ମାଳି, କର୍ଣ୍ଣ କାପ, ଭ୍ରୂଲତା, ଅଣ୍ଟା ପେଟି ଓ ସୁଦର୍ଶନ ଚକ୍ର  ଆଦି ଅଳଙ୍କାର  ସଜ୍ଜିତ ହେବେ l ପୌଷ ପୂର୍ଣ୍ଣିମା ଦିନ ଏହି ବେଶ କୁ  ରାଜାଧୀରାଜ ବେଶ ତଥା ଦେବାଭିଷେକ ବେଶ   କୁହାଯାଏ l 
              ସୂଚନା ଯୋଗ୍ୟ, ପାରମ୍ପରିକ ଏହି ପବିତ୍ର  ପୁଷ୍ୟାଭିଷେକ ପର୍ବ ପାଳନ ଅବସରରେ ଶ୍ରୀ ଜୀଉଙ୍କର ସ୍ୱତନ୍ତ୍ର ନୀତି ଅନୁଯାୟୀ ୧୦୮ କଳସୀ ସ୍ନାନ ସହ ପୂଜା ଓ ହୋମ ସମ୍ପନ୍ନ ହେବା ପରେ ପରେ ସୁନା ବେଶ ଲାଗି ହୋଇଥାନ୍ତି l ବେଶ ସମାପନ ପରେ ଜୟ ବିଜୟ ଦ୍ୱାର ଜଉ ମୁଦ କରାଯାଏ ଓ ପରେ ପରେ ଛତିଶl ନିଯୋଗ ଶୋଭାଯାତ୍ରାରେ ସେବାୟତ ଓ ଶ୍ରଦ୍ଧାଳୁ ମାନେ ମା ‘ ମହାଲକ୍ଷ୍ମୀଙ୍କୁ ଆଳତୀ ବନ୍ଦାପନା କରି ଘଣ୍ଟ ଘଣ୍ଟା ଓ ସଂକୀର୍ତ୍ତନ  ପଟୁଆରରେ ପାଛୋଟି ଆଣି ଶ୍ରୀ ନୀଳମାଧଵ ମନ୍ଦିର ମଧ୍ୟକୁ ପ୍ରବେଶ କରାଇ ସାରିବା ପରେ ସାହାଣ ମେଲା ଦର୍ଶନ ହୋଇଥାଏ ଓ ରାତି ପ୍ରାୟ ୯ ଘଣ୍ଟା ପରେ ସୁନା ବେଶ ଉଲାଗି କରାଯାଇ ବଡ ସିଂହାର ଧୂପ ପରେ ଶ୍ରୀ ଜୀଉଙ୍କ ପହୁଡ଼ ହୋଇଥାଏ l                                                 ଏହି ସୁନା ବେଶ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ହେଉଥିବାରୁ ନୟାଗଡ଼ ଜିଲ୍ଲା ପ୍ରଶାସନ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଖଣ୍ଡପଡା ତହସିଲଦାର ବିଶ୍ୱ ବିସ୍ମୃତ ତ୍ରିପାଠୀ ଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ହେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି l 
     

You might also like
error: Content is protected !!