ବାଲିଗୁଡ଼ା, ୨୭/୦୫ : ସୁକାନ୍ତ କୁମାର ତ୍ରିପାଠୀ
ଆସନ୍ତା ମଇ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର “ସ୍ୱତନ୍ତ୍ର ସଘନ ସଂଶୋଧନ – SIR” କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ନେଇ ଆଜି ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶଙ୍କ ଅଧ୍ୟକ୍ଷତାରେ ଏକ ଉପଖଣ୍ଡ ସ୍ତରୀୟ ସହାୟତା କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀମତୀ ଦାଶ କହିଥିଲେ ଯେ, ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ଭୋଟର ତାଲିକାର ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ସରଳ ଓ ସୁବିଧାଜନକ କରାଯିବ। ଏହି ସଂଶୋଧନ କାର୍ଯ୍ୟ ପାଇଁ ୮୨-ବାଲିଗୁଡ଼ା ନିର୍ବାଚନୀ ମଣ୍ଡଳୀରେ ୧୭୮ ଜଣ ଏବଂ ୮୩-ଜି.ଉଦୟଗିରି ନିର୍ବାଚନୀ ମଣ୍ଡଳୀରେ ୨୫୩ ଜଣ BLOଙ୍କୁ ନିୟୋଜିତ କରାଯାଇଛି।ଭୋଟର ତାଲିକା ପ୍ରସ୍ତୁତି ପାଇଁ ବ୍ୟବହୃତ ସମସ୍ତ ଗଣନା ଫର୍ମ ସ୍ଥାନୀୟ ଓଡ଼ିଆ ଭାଷାରେ ଉପଲବ୍ଧ ରହିବ ବୋଲି ସେ କହିଥିଲେ। ଏହାଦ୍ୱାରା ଗ୍ରାମାଞ୍ଚଳର ସାଧାରଣ ଲୋକମାନେ ସହଜରେ ଫର୍ମ ବୁଝିପାରିବେ ଏବଂ ସଠିକ୍ ତଥ୍ୟ ପ୍ରଦାନ କରିପାରିବେ।ଘରକୁ ଘର ବୁଲି କରାଯିବାକୁ ଥିବା ଗଣନା

କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହ କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡନ୍ତି ସେଥିପାଇଁ ସତର୍କ ଦୃଷ୍ଟି ରଖିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। SIR ସମୟରେ BLOମାନେ ଘରକୁ ଘର ବୁଲି ସର୍ଭେ କରିବା ସମୟରେ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ଗୁଜବମୁକ୍ତ ରଖିବା ପାଇଁ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦ ଟୋଲ୍ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବରର ବ୍ୟାପକ ପ୍ରଚାର କରାଯିବ। ଏହି ନମ୍ବର ମାଧ୍ୟମରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ଏବଂ ନିଜ ଅଞ୍ଚଳର BLOଙ୍କ ସହ Book a Call ସୁବିଧା ମାଧ୍ୟମରେ ସଂଯୋଗ ସ୍ଥାପନ କରିପାରିବେ। ଭୋଟର ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।