ଦାରିଙ୍ଗବାଡି, ୨୭/୦୫ : ସୁକାନ୍ତ କୁମାର ତ୍ରିପାଠୀ
ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ସୋମବାର “ଏକ୍ସପ୍ଲୋର ଦାରିଙ୍ଗବାଡି” ନାମକ ଏକ ନୂତନ ୱେବସାଇଟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉନ୍ମୋଚନ କରାଯାଇଛି।ଦୀର୍ଘଦିନ ଧରି ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ସଠିକ ଓ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ ସରକାରୀ ସ୍ତରରେ କୌଣସି ସ୍ୱତନ୍ତ୍ର ୱେବସାଇଟ ନଥିବାରୁ ପର୍ଯ୍ୟଟକମାନେ ସାମାଜିକ ଗଣମାଧ୍ୟମ ଓ ସ୍ଥାନୀୟ ମାଧ୍ୟମ ଉପରେ ନିର୍ଭର କରୁଥିଲେ। ଏହି ନୂତନ ୱେବସାଇଟ ଆରମ୍ଭ ହେବା ପରେ ପର୍ଯ୍ୟଟକମାନେ ସହଜରେ ଦାରିଙ୍ଗବାଡି ସମ୍ପର୍କିତ ବିଭିନ୍ନ ସୂଚନା ପାଇପାରିବେ।ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଏସପି ହରିଶ ବିଶି, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ପ୍ରୋବେଶନର ଆଇଏଏସ ଯଶକରନ ସିଂ, ସିଡିଓ ଶମ୍ବୁନାଥ ନନ୍ଦୀ, ସିଡିଏମଓ ଡଃ ଅକ୍ଷୟ ସାହୁ, ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡିଓ ପ୍ରୀତିରଞ୍ଜନ ରଥ ଓ ତହସିଲଦାର ଧୀରଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ପ୍ଲାକାର୍ଡ ଦେଖାଇ ୱେବସାଇଟର ଶୁଭାରମ୍ଭ କରିଥିଲେ।ଉକ୍ତ ୱେବସାଇଟରେ ଦାରିଙ୍ଗବାଡିର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ଚିତ୍ର ଓ ବିବରଣୀ, କନ୍ଧମାଳ ହଳଦୀ, ସ୍ଥାନୀୟ ପାରମ୍ପରିକ ଚଳଣି, ଖାଦ୍ୟ, ହୋଟେଲ ଓ ରାତ୍ରିଯାପନ ସମ୍ପର୍କିତ ସୂଚନା ସ୍ଥାନ ପାଇଛି। ଏହାସହ ଜରୁରୀକାଳୀନ ସେବା ପାଇଁ ପୋଲିସ, ଅଗ୍ନିଶମ ଓ ସ୍ୱାସ୍ଥ୍ୟକେନ୍ଦ୍ରର ଫୋନ ନମ୍ବର ମଧ୍ୟ ଉପଲବ୍ଧ ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।