ଶ୍ରୀମନ୍ଦିରରେ ମା ବେଢ଼ାକାଳୀ
ଖୋର୍ଦ୍ଧା(ସଞ୍ଜୀବ କୁମାର):-ଶ୍ରୀମନ୍ଦିର ଭିତର ବେଢ଼ାସ୍ଥ ଶ୍ରୀ ନୀଳମାଧବ ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ମଧ୍ୟ ବେଢ଼ା କାଳୀଙ୍କ ମନ୍ଦିର ଅବସ୍ଥିତ। ବେଢ଼ା କାଳୀଙ୍କୁ ଭଦ୍ର କାଳୀ ତଥା ଗୁହ୍ୟକାଳୀ ମଧ୍ୟ କୁହାଯାଇଥାଏ।
ବେଢ଼ାକାଳୀ ଙ୍କ ସମ୍ପର୍କରେ ଯାହା ଜଣା ପଡେ, ପୂର୍ବେ ଶ୍ରୀମନ୍ଦିର ଚାରିପଟେ ଅରଣ୍ୟ ପରିପୂର୍ଣ୍ଣ ଥିଲା। କାଳୀ ଙ୍କ ପ୍ରକୋପରେ ବହୁ ଲୋକ ଭୟଭୀତ ହେଉଥିଲେ। ରାତ୍ର ସମୟରେ ଲୋକେ ସେହି ସ୍ଥାନକୁ ଯିବା ଆସିବା ମଧ୍ୟ କରୁନଥିଲେ। ମରହଟା ରାଜତ୍ୱ କାଳରେ ବ୍ରହ୍ମଚାରୀଙ୍କ ଉଦ୍ୟମରେ କାଳୀଙ୍କ ସମ୍ମୁଖରେ ଆଉ ଏକ ବିଗ୍ରହ ସ୍ଥାପନା କରାଯାଇଥିଲା। କଥିତ ଅଛି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଓ ବେଢ଼ା ମଧ୍ୟସ୍ଥ ଅନ୍ୟାନ୍ୟ ଦେବଦେବୀଙ୍କ ପହୁଡ଼ ନୀତି ହୋଇସାରିଲା ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ବ୍ରହ୍ମନୀଶି ରାତ୍ରିର ମା ଜାଗ୍ରତ ପ୍ରହରୀ ତଥା ବେଢାର ରକ୍ଷାକର୍ତ୍ତା ରୂପେ କାର୍ଯ୍ୟ କରିଥାନ୍ତି।
ମା ଙ୍କ ବିଗ୍ରହ ଓଷୁଅ ରେ ନିର୍ମିତ। ମୂଳ ପ୍ରସ୍ତର ବିଗ୍ରହ ଏହି ବିଗ୍ରହ ପଛ ପଟେ ଅଧିଷ୍ଠିତା। ତାହା ଦର୍ଶନୀୟ ହୋଇପାରେ ନାହିଁ। ବର୍ତ୍ତମାନର ବିଗ୍ରହ ଡାହାଣ ପାଖକୁ ଏକ ରନ୍ଧ୍ର ରହିଛି। ଏହି ରନ୍ଧ୍ର ବାଟେ ପ୍ରତିଦିନ ଫୁଲ, ଚନ୍ଦନ ଦିଆଯାଇ ପଶ୍ଚାତ ଭାଗରେ ଥିବା ମୂଳ ବିଗ୍ରହଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।
ବର୍ତ୍ତମାନ ଦୃଶ୍ୟମାନ ହେଉଥିବା ମାଙ୍କ ବିଗ୍ରହ ବ୍ୟାଘ୍ର ଚର୍ମ ଉପରେ ଅଧିଷ୍ଠିତ। ପ୍ରାୟ ୩ଫୁଟ ଉଚ୍ଚତା ବିଶିଷ୍ଟ ବିଗ୍ରହ। ମା ଦ୍ଵିଭୁଜା, ଦକ୍ଷିଣ ହସ୍ତ ଉର୍ଦ୍ଧ୍ବ କୁ ଉତ୍ତୋଳିତ କରି ସେ ଖଡ୍ଗ ଧାରଣ କରିଥାନ୍ତି ଓ ବାମ ହସ୍ତ ଖର୍ପର ଧାରଣ ସହିତ ଜାନୁ ଉପରେ ରହିଥାଏ। ଅତି ଭୟଙ୍କର ଲହ ଲହ ଜିହ୍ଵା ଓ ବିସ୍ପୋରିତ ନେତ୍ର ମାଙ୍କର ଉଗ୍ରଭାଗର ସୂଚକ। ଗଳାରେ ମୁଣ୍ଡ ମାଳ ଲମ୍ବିଥାଏ। ବେଢ଼ା କାଳୀଙ୍କ ବାହନ ରୂପେ ସମ୍ମୁଖରେ ଏକ ସିଂହ ମୂର୍ତ୍ତି ପ୍ରତିଷ୍ଠିତ।