ଦୀପର ଆଲୋକରେ ଝଲସିଲା ମା’ ପାଟଖଣ୍ଡାଙ୍କ ମନ୍ଦିର : ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଲା ଦୀପଦାନ ଉତ୍ସବ
ବାଲିଗୁଡ଼ା, ୮/୧୧ : ସୁକାନ୍ତ କୁମାର ତ୍ରିପାଠୀ : ପବିତ୍ର ଦୀପାବଳି ଓ ଶ୍ୟାମାକାଳୀ ପୂଜା ଅବସରରେ ଆଲୋକମାଳା ଓ ଅସଂଖ୍ୟ ଦୀପର ଆଲୋକରେ ଝଲସି ଉଠିଲା ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସର। ଏହି ଅବସରରେ ମନ୍ଦିର ପରିସରରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ମା’ ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ଏହି ଉତ୍ସବକୁ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରାଯାଇଥିଲା। ରବିବାର ସନ୍ଧ୍ୟାରେ ପ୍ରଥମେ ମା’ଙ୍କ ନିକଟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ଆରତି କରାଯାଇଥିଲା। ଏହାପରେ ମନ୍ଦିରର ଚତୁଃପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ମନ୍ଦିରକୁ ସଜ୍ଜିତ


କରାଯାଇଥିଲା।ଶତାଧିକ ଦୀପର ମନୋରମ ଆଲୋକ ମନ୍ଦିରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥିବା ବେଳେ ଭକ୍ତି ଓ ଆସ୍ଥାର ଏକ ନିଆରା ପରିବେଶ ସୃଷ୍ଟି କରିଥିଲା। ଦୀପାବଳିର ଏହି ପବିତ୍ର ଅବସରରେ ମା’ଙ୍କ ଆଶୀର୍ବାଦ କାମନା କରିବା ସହ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରାଯାଇଥିଲା।ଏହି ଆୟୋଜନରେ ମାର୍କେଟ ବ୍ୟବସାୟୀ ସଂଘର ସମସ୍ତ ସଦସ୍ୟ ସାମିଲ ହୋଇ ଉତ୍ସବର ସଫଳ ପରିଚାଳନାରେ ସହଯୋଗ କରିଥିଲେ। ଏଭଳି ସାମୂହିକ ଧାର୍ମିକ ଆୟୋଜନ ମାଧ୍ୟମରେ ବ୍ୟବସାୟୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ମା’ଙ୍କ ପ୍ରତି ଗଭୀର ଭକ୍ତିଭାବ ପ୍ରତିଫଳିତ ହୋଇଥିଲା।
