ବାଲିଗୁଡ଼ାରେ ବିଜେଡି ସଂଗଠନ ସଜାଡ଼ିବାକୁ ନୂଆ ରଣନୀତି, ବ୍ଲକ ଓ ଏନ୍ଏସି ନେତୃତ୍ୱରେ କ୍ଳେଶ ପ୍ରଧାନ ଓ ଅମିତ ନାୟକ
ବାଲିଗୁଡ଼ା,୨୯/୧୦.: ସୁକାନ୍ତ କୁମାର ତ୍ରିପାଠୀ : ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ସାଂଗଠନିକ ସ୍ଥିତିକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ଦଳ ପକ୍ଷରୁ ନୂତନ ପଦକ୍ଷେପ ଆରମ୍ଭ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ପଦ୍ମନାଭ ବେହେରାଙ୍କ ନେତୃତ୍ୱରେ ଦଳୀୟ ସଂଗଠନକୁ ପୁନର୍ଗଠନ କରିବା ସହ ତୃଣମୂଳ ସ୍ତରରେ କର୍ମୀ ଓ ସମର୍ଥକଙ୍କୁ ଏକଜୁଟ କରିବା ପାଇଁ ପ୍ରୟାସ ଜୋରଦାର ହୋଇଛି। ଏହି କ୍ରମରେ ବାଲିଗୁଡ଼ା ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନୂତନ ସଭାପତିଙ୍କ ନାମ ଘୋଷଣା କରାଯାଇଛି।ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ବିଜେଡି ନେତା କ୍ଳେଶ ପ୍ରଧାନଙ୍କୁ ବାଲିଗୁଡ଼ା ବ୍ଲକ ବିଜେଡି ସଭାପତି ଏବଂ ସମାଜସେବୀ ତଥା ଶିକ୍ଷାବିତ୍ ଅମିତ ନାୟକଙ୍କୁ ବାଲିଗୁଡ଼ା ଏନ୍ଏସି ବିଜେଡି ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ସଭାପତି ପଦ୍ମନାଭ ବେହେରାଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ନିର୍ବାଚନମଣ୍ଡଳୀର ଚାରିଟି ବ୍ଲକର ସାଂଗଠନିକ ସଭାପତି ଓ ଅନେକ କର୍ମୀ ସାମୂହିକ ଇସ୍ତଫା ଦେଇଥିବାବେଳେ ତୁମୁଡ଼ିବନ୍ଧ ବ୍ଲକ ସଭାପତି ନବୀନ ପାତ୍ରଙ୍କ ସମେତ କିଛି ପଞ୍ଚାୟତ ସଭାପତି ମଧ୍ୟ ଇସ୍ତଫା ଦେଇଥିଲେ। ଫଳରେ ଦଳର ସାଂଗଠନିକ କାର୍ଯ୍ୟକଳାପ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା।ଏହି ପରିସ୍ଥିତିରେ ଜିଲ୍ଲା ବିଜେଡିର ଦାୟିତ୍ୱ ପଦ୍ମନାଭ ବେହେରା ଗ୍ରହଣ କରିବା ପରେ ସଂଗଠନକୁ ପୁଣିଥରେ ସକ୍ରିୟ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନୂତନ ନେତୃତ୍ୱ ଚୟନ ଦ୍ୱାରା ଦଳୀୟ କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହେବା ସହ ବାଲିଗୁଡ଼ାରେ ବିଜେଡିର ସାଂଗଠନିକ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।ନୂତନ ଦାୟିତ୍ୱ ପାଇଥିବା କ୍ଳେଶ ପ୍ରଧାନ ଓ ଅମିତ ନାୟକ ଦଳର ନୀତି, ଆଦର୍ଶ ଏବଂ ଜନସେବାକୁ ପାଥେୟ କରି ସମସ୍ତ ବର୍ଗର ଲୋକଙ୍କୁ ସାଙ୍ଗରେ ନେଇ କାମ କରିବାକୁ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ବିଶେଷକରି ଶିକ୍ଷିତ ଯୁବସମାଜକୁ ଦଳ ସହ ଯୋଡ଼ିବା, ତୃଣମୂଳ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଏବଂ ସାଧାରଣ ଲୋକଙ୍କ ସମସ୍ୟାରେ ସହଯୋଗର ହାତ ବଢ଼ାଇବା ଉପରେ ନୂତନ ନେତୃତ୍ୱ ଗୁରୁତ୍ୱ ଦେବ ବୋଲି ଆଶା କରାଯାଉଛି।ବିରୋଧୀ ଦଳ ଭାବେ ଜନସାଧାରଣଙ୍କ ସମସ୍ୟା ଉଠାଇବା ସହ ସେମାନଙ୍କ ସ୍ୱାର୍ଥ ପାଇଁ କାମ କରିବାର ସୁଯୋଗ ଦେଇଥିବାରୁ ନବୀନ ପଟ୍ଟନାୟକ ଓ ପଦ୍ମନାଭ ବେହେରାଙ୍କ ପ୍ରତି ବାଲିଗୁଡ଼ା ବିଜେଡି ପକ୍ଷରୁ କୃତଜ୍ଞତା ଜଣାଯାଇଛି। ଆଗାମୀ ଦିନରେ ନୂତନ ଟିମ୍ର କାର୍ଯ୍ୟଧାରା ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତିକୁ କେତେ ମଜବୁତ କରୁଛି, ତାହା ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।
