କନ୍ଧମାଳ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା, ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ବାଲିଗୁଡ଼ା, ୨୯/୧୦ : ସୁକାନ୍ତ କୁମାର ତ୍ରିପାଠୀ : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଆଜି, ଗୁରୁବାର ଅକ୍ଟୋବର ୨୯ ତାରିଖରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏନେଇ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ବେଦଭୂଷଣ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୮ ତାରିଖରେ ଜାରି ଆଦେଶ ନମ୍ବର ୧୧୮୬ ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ସମେତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ଓ ଶିକ୍ଷାଦାନ କାର୍ଯ୍ୟକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଛି।ତେବେ ଜନସାଧାରଣଙ୍କ ଆବଶ୍ୟକତା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ବାତ୍ୟାଜନିତ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ନିର୍ଦ୍ଦେଶନାମାକୁ ଯଥାରୀତି ପାଳନ କରିବାକୁ ଜିଲ୍ଲାର ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଛି।

Smart Computer Ad
You might also like
error: Content is protected !!