ବ୍ରହ୍ମପୁର ସହରର ଜଳବନ୍ଦୀ ସ୍ଥାନ ପରିଦର୍ଶନ କଲେ ଜିଲ୍ଲାପାଳ

ବ୍ରହ୍ମପୁର,(ବିଚିତ୍ର ସାହୁ)

ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ହେବାକୁ ଥିବା ବର୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ଜଳବନ୍ଦୀ ସମସ୍ୟାର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆଜି ବ୍ରହ୍ମପୁର ସହରର ଗାନ୍ଧୀନଗର ତୃତୀୟ ଲେନ୍‌ରେ ଥିବା ଜଳବନ୍ଦୀ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଆକବରମ ସସ୍ୟା ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।ପରିଦର୍ଶନ ସମୟରେ ଜିଲ୍ଲାପାଳ ଜଳବନ୍ଦୀର କାରଣ ଓ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହ ବର୍ଷାଜଳର ତୁରନ୍ତ ନିଷ୍କାସନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବ୍ରହ୍ମପୁର ସହରରେ ଥିବା ଅନ୍ୟାନ୍ୟ ଜଳବନ୍ଦୀ ପ୍ରବଣ ଅଞ୍ଚଳଗୁଡ଼ିକୁ ଜଳ ନିଷ୍କାସନ ପଥର ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଅତିରିକ୍ତ ପ୍ରତିକାରମୂଳକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସମ୍ଭାବ୍ୟ ବାତ୍ୟାଜନିତ ବର୍ଷାର ପ୍ରଭାବକୁ ଆକଳନ କରି ଜନସାଧାରଣଙ୍କ ସୁରକ୍ଷା ଓ ସହରର ସ୍ୱାଭାବିକ ଜନଜୀବନ ବଜାୟ ରଖିବା ଦିଗରେ ସ୍ଥାନୀୟ ପ୍ରଶାସନର ଆଗୁଆ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

Smart Computer Ad
You might also like
error: Content is protected !!