ବାଲିଗୁଡ଼ା, ୧୬/୧୦ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି କରିଛି ଶ୍ରୀ ସତ୍ୟସାଇ ବାବାଙ୍କ ପବିତ୍ର ରଥ। ଦାରିଙ୍ଗବାଡ଼ିରୁ ବାହାରିଥିବା ଏହି ରଥ ଗତକାଲି ସନ୍ଧ୍ୟା ରେ ବାଲିଗୁଡ଼ାରେ ପହଞ୍ଚିବା ପରେ ସ୍ଥାନୀୟ ସତ୍ୟସାଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା। ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ରଥକୁ ସ୍ୱାଗତ କରିବା ସହ ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବାଲିଗୁଡ଼ା ସତ୍ୟସାଇ ସମିତିର ଆବାହକ

ସୁରେନ୍ଦ୍ର ନାଥ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏଥିରେ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଓ ଜିଲ୍ଲା ସଭାପତି ଡଃ ମଧୁସୂଦନ ମହାପାତ୍ରଙ୍କ ସମେତ ସମିତିର ବହୁ ଭାଇଭଉଣୀ, ଭକ୍ତ ଓ ସ୍ଥାନୀୟ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଭକ୍ତମାନେ ଶ୍ରୀ ସତ୍ୟସାଇ ବାବାଙ୍କ ଦର୍ଶନ କରିବା ସହ ପ୍ରାର୍ଥନା ଓ ଭଜନ ମାଧ୍ୟମରେ ନିଜର ଭକ୍ତି ନିବେଦନ କରିଥିଲେ। ରାତ୍ରି ସମୟରେ ଉପସ୍ଥିତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ଶ୍ରୀ ସତ୍ୟସାଇ ବାବାଙ୍କ ମୁଖ୍ୟ ବାର୍ତ୍ତା ‘ମାନବ ସେବା ହିଁ ମାଧବ ସେବା’କୁ ଆଧାର କରି ସତ୍ୟସାଇ ସେବା ସଂଗଠନ ପକ୍ଷରୁ ବିଭିନ୍ନ ସେବାମୂଳକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ
କରାଯାଉଛି। ଏହି ରଥଯାତ୍ରା ମାଧ୍ୟମରେ ପ୍ରେମ, ଶାନ୍ତି, ମାନବିକତା, ଭାଇଚାରା ଓ ସେବା ମନୋଭାବର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରସାର କରାଯାଉଛି।ଉଲ୍ଲେଖଯୋଗ୍ୟ, ବାଲିଗୁଡ଼ା ସମିତିର କର୍ମକର୍ତ୍ତାମାନେ ଆଜି ସକାଳେ କଳାହାଣ୍ଡି ଜିଲ୍ଲାର ଉର୍ଲାଦାନୀକୁ ଯାଇ ସେଠାରେ ରଥ ହସ୍ତାନ୍ତର କରିଥିଲେ। ପରବର୍ତ୍ତୀ ସମୟରେ ଦାରିଙ୍ଗବାଡ଼ି ଦେଇ ରଥ ବାଲିଗୁଡ଼ାରେ ପହଞ୍ଚିଥିଲା। ରଥର ଆଗମନ ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିବା ସହ ସତ୍ୟସାଇ ଭକ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକ ଉତ୍ସାହ ଭରିଦେଇଥିଲା।
