୪୬ ବର୍ଷ ପରେ ଛାତ୍ର ନେତୃତ୍ୱର ନୂଆ ଅଧ୍ୟାୟ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ମଞ୍ଚରେ ଖୋଲିଲା ମନ କଥା; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର
ବାଲିଗୁଡ଼ା, ୧୪/୧୦ (ସୁକାନ୍ତ କୁମାର ତ୍ରିପାଠୀ): ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ନେତୃତ୍ୱର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଛାତ୍ର ସଂସଦ ନିର୍ବାଚନକୁ ନେଇ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ ହୋଇଉଠିଥିବା ବେଳେ ୮ଟି ପଦବି ପାଇଁ ମଇଦାନରେ ଥିବା ୩୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲି ଭୋଟରଙ୍କ ନିଷ୍ପତ୍ତିରେ ନିର୍ଦ୍ଧାରିତ ହେବ। ଦୀର୍ଘ ବର୍ଷ ପରେ ହେଉଥିବା ଏହି ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଛି।ନିର୍ବାଚନ ପ୍ରଚାରର ଶେଷ ଦିନ ବୁଧବାର ମହାବିଦ୍ୟାଳୟର ସଭାଗୃହରେ ଆୟୋଜିତ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ କାର୍ଯ୍ୟକ୍ରମ ଏହି ନିର୍ବାଚନକୁ ଅଧିକ ରୋଚକ କରିଥିଲା। ଏହି ମଞ୍ଚରେ

ପ୍ରାର୍ଥୀମାନେ ନିଜେ ନିର୍ବାଚନ ଲଢ଼ିବାର ଉଦ୍ଦେଶ୍ୟ, ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ନିଜର ଦାୟିତ୍ୱବୋଧ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ନେଇ ନିଜ ନିଜର ମତ ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ।କେବଳ ପଦପଦବି ହାସଲ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ସ୍ୱରକୁ କଲେଜ ପ୍ରଶାସନ ନିକଟରେ ପହଞ୍ଚାଇବା, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବା ଏବଂ ଏକ ସକାରାତ୍ମକ ଛାତ୍ର ନେତୃତ୍ୱ ଗଢ଼ିତୋଳିବାର ଆଭିମୁଖ୍ୟ ଏହି କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା। ପ୍ରଚାରର କୋଳାହଳ ମଧ୍ୟରେ ପ୍ରାର୍ଥୀଙ୍କ ଚିନ୍ତାଧାରା, ଲକ୍ଷ୍ୟ ଓ ଦୃଷ୍ଟିକୋଣକୁ ଜାଣିବା ପାଇଁ ଏହି ମଞ୍ଚ ଭୋଟରଙ୍କୁ ଏକ ସୁଯୋଗ ପ୍ରଦାନ କରିଥିଲା।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ପ୍ରଣୀତା ଦାସ, ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ନିର୍ବାଚନ ଅଧିକାରୀ ତଥା

ଅଧ୍ୟାପକ ତେଜେଶ୍ୱର ନାୟକ, ସହନିର୍ବାଚନ ଅଧିକାରୀ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହିଥିଲେ। ଏଥିସହ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମର ତଦାରଖ କରିଥିଲେ।ଦୀର୍ଘ ୪୬ ବର୍ଷ ପରେ ହେଉଥିବା ଏହି ଛାତ୍ର ସଂସଦ ନିର୍ବାଚନ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ମହାବିଦ୍ୟାଳୟରେ ଗଣତାନ୍ତ୍ରିକ ଚେତନା ଓ ଛାତ୍ର ନେତୃତ୍ୱକୁ ନୂଆ ଦିଗ ଦେବାର ଏକ ଅବସର। ଏବେ ପ୍ରଚାର ସରିଛି, ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଶୁଣିସାରିଛନ୍ତି ଭୋଟର। ଆସନ୍ତାକାଲି ମତଦାନ ପରେ କାହା ହାତକୁ ଯିବ ଛାତ୍ର ନେତୃତ୍ୱର ଦାୟିତ୍ୱ, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।

