ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଦେଇ ତଳମୁଣ୍ଡକୁ ଆସୁଛି ବନ୍ୟାଜଳ। ଗତକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିଥିବା ସୂଚନା ମିଳିଛି। ଡ୍ୟାମ୍ କୁ ହାରାହାରି ପ୍ରତି ସେକେଣ୍ଡରେ ୫ ଲକ୍ଷ ୧ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଅନ୍ୟପଟେ ହାରାହାରି ୫ ଲକ୍ଷ ୧୪ ହଜାର କ୍ୟୁସେକ୍ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୯.୬୯ ଫୁଟ୍ ରହିଛି। ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳ ତୁଳନାରେ ନିଷ୍କାସନ ପରିମାଣ ଅଧିକ ରହିଛି।… ଅନ୍ୟପଟେ ବନ୍ୟାଜଳ କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳର ଶାଖାନଦୀ ରଣ ଓ ଚନ୍ଦ୍ରପାରେ ପଶିବା ପରେ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି।ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ମହାନଦୀର ଏହି ବନ୍ୟାଜଳ ମୁଖ୍ୟତଃ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳକୁ ପ୍ରଭାବିତ କରିପାରେ। ବନ୍ୟା ଯୋଗୁଁ ଚାଷବାସ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏଥିସହ କେନ୍ଦ୍ରାପଡ଼ାର ପାଟକୁରା ଓ ଗରଦପୁରର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇପାରେ। ମହାନଦୀର ଜଳସ୍ତର ଓ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
