ବାଲିଗୁଡ଼ା, ୨୯/୦୯: ସୁକାନ୍ତ କୁମାର ତ୍ରିପାଠୀ ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ ସ୍ରଷ୍ଟା ତଥା କବିବର ରାଧାନାଥ ରାୟଙ୍କ ଜୟନ୍ତୀ ବାଲିଗୁଡ଼ାରେ ଶ୍ରଦ୍ଧା ଓ ସାହିତ୍ୟିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସୌଜନ୍ୟରେ ଏବଂ ଶାଳବଣ ସାହିତ୍ୟ ସଂସଦର ସଂଯୋଜନାରେ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ଏହି ସାହିତ୍ୟିକ ସମାରୋହ ଆୟୋଜିତ ହୋଇଥିଲା।ଶାଳବଣ ସାହିତ୍ୟ ସଂସଦର ସଭାପତି ଡ. ମଧୁସୂଦନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଓ ରବୀନ୍ଦ୍ରନାଥ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ରାଧାନାଥ ରାୟଙ୍କ ଜୀବନ, ସାହିତ୍ୟ ସାଧନା, ସୃଜନଶୀଳତା ଏବଂ ଓଡ଼ିଆ ଭାଷା-ସାହିତ୍ୟର ବିକାଶରେ ତାଙ୍କ ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ଆଲୋଚକମାନେ କହିଥିଲେ ଯେ, ରାଧାନାଥ ରାୟଙ୍କ ସାହିତ୍ୟରେ ନୂତନ ଚିନ୍ତାଧାରା,

ଭାଷାର ସ୍ୱତନ୍ତ୍ର ପ୍ରୟୋଗ ଓ ଶୈଳୀଗତ ବୈଚିତ୍ର୍ୟର ସମନ୍ୱୟ ଦେଖିବାକୁ ମିଳେ। ତାଙ୍କ ସୃଜନ ଓଡ଼ିଆ ସାହିତ୍ୟକୁ ଆଧୁନିକତାର ଏକ ନୂଆ ଦିଗ ଦେଇଥିବା ସହ ଆଗାମୀ ପିଢ଼ିର ସାହିତ୍ୟିକମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହୋଇରହିଛି ବୋଲି ମତ ପ୍ରକାଶ ପାଇଥିଲା।ଶିକ୍ଷକ ତୀର୍ଥବାସୀ ଘଡ଼େଇ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ରଖିଥିଲେ। ଆଲୋଚନାରେ କୈଳାଶ ବେହେରା, ବିଶ୍ୱେଶ୍ୱର ଆଚାର୍ଯ୍ୟ, ସ୍ନେହଲତା, ସୁଲୋଚନା କହଁରଙ୍କ ସମେତ ବହୁ ସାହିତ୍ୟିକ, ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀ ଯୋଗଦେଇ ରାଧାନାଥଙ୍କ ସାହିତ୍ୟିକ ଅବଦାନ ଉପରେ ନିଜ ନିଜ ମତ ରଖିଥିଲେ।କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସାହିତ୍ୟିକ ଓ ସାହିତ୍ୟପ୍ରେମୀଙ୍କ ଉପସ୍ଥିତିରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ସମାରୋହ ଏକ ସାରଗର୍ଭକ ସାହିତ୍ୟିକ ପରିବେଶ ସୃଷ୍ଟି କରିଥିଲା।
