ବ୍ରହ୍ମପୁର | ୨୫| ୦୯ | ନ୍ୟୁଜ ନର୍ଭ || ବ୍ରହ୍ମପୁର ସହରରେ ନିର୍ମାଣାଧୀନ କୋଠା ପରିସରରେ ଅସୁରକ୍ଷିତ ଭାବେ ଖୋଲା ରହିଥିବା ଗଭୀର ଗାତ ପୁଣିଥରେ ପଶୁଙ୍କ ପାଇଁ ମୃତ୍ୟୁଫାନ୍ଦ ପାଲଟିଛି। ହରିଡ଼ାଖଣ୍ଡି ପୋଖରୀ ନିକଟ ଶନି ମନ୍ଦିର ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ଆପାର୍ଟମେଣ୍ଟ ପରିସରରେ ଗଭୀର ଗାତରେ ପଡ଼ି ଏକ ଷଣ୍ଢ ଗୁରୁତର ଆହତ ହୋଇଥିବାବେଳେ, ଦୀର୍ଘ ସମୟର ଉଦ୍ୟମ ପରେ ଅଗ୍ନିଶମ ବାହିନୀ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ତେବେ ଏହି ଘଟଣା ଅଞ୍ଚଳରେ ଖୋଲା ଗାତର ସୁରକ୍ଷା ବ୍ୟବସ୍ଥା ଏବଂ ନିର୍ମାଣ ସ୍ଥଳର ନିରୀକ୍ଷଣକୁ ନେଇ ପୁଣିଥରେ ପ୍ରଶାସନ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ସୂଚନା ଅନୁଯାୟୀ, ଷଣ୍ଢଟି ଅର୍ଦ୍ଧନିର୍ମିତ କୋଠା ପରିସରରେ ଥିବା ଏକ ଗଭୀର ଗାତରେ ପଡ଼ିଯାଇଥିଲା। ଗାତରେ ପଡ଼ି ଆହତ ହେବା ସହ ସେଠାରେ ଦୀର୍ଘ ସମୟ ଧରି ଜମିଥିବା ପାଣିରେ ରହିଥିବାରୁ ତାହାର ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ଘଟଣା ଜଣାପଡ଼ିବା ପରେ କିଛି ସ୍ଥାନୀୟ ଯୁବକ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ମାତ୍ର ଗାତଟି ଅତ୍ୟନ୍ତ ଗଭୀର ଓ ବିପଦପୂର୍ଣ୍ଣ ହୋଇଥିବାରୁ ସେମାନେ ସଫଳ ହୋଇନଥିଲେ। ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯିବାରୁ ଏସ୍.କେ. ଲେଙ୍କା, ଏସ୍. ଧଳ, ବିଜୟ ବେହେରା, କାହ୍ନୁଚରଣ ଗୋଛାୟତ ଓ ଦୁଷ୍ମନ୍ତ ମାଝୀଙ୍କ ସମେତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିପଦପୂର୍ଣ୍ଣ ପରିସ୍ଥିତିରେ ଦୀର୍ଘ ସମୟ ଧରି ଉଦ୍ୟମ କରିବା ପରେ ସେମାନେ ଷଣ୍ଢଟିକୁ ଗାତରୁ ବାହାର କରିଥିଲେ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ନିର୍ମାଣାଧୀନ ପରିସରରେ ଦୀର୍ଘଦିନ ଧରି ଗାତ ଖୋଲା ରହିଛି। ଏହି ଗାତରେ ପଡ଼ି ପୂର୍ବରୁ ଅନେକ ପଶୁ ଆହତ ହୋଇଥିବାବେଳେ ଏକ ଗାଈ ଓ ୨୦ରୁ ଊର୍ଦ୍ଧ୍ୱ କୁକୁର ଛୁଆଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ଏନେଇ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଗାତ ଗୁଡ଼ିକୁ ଆବଦ୍ଧ କରାଯାଇନଥିବାରୁ ଅସନ୍ତୋଷ ବଢ଼ିଛି। ଏହି ଘଟଣାର ପୁନରାବୃତ୍ତି ନିର୍ମାଣ ସ୍ଥଳରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ନିୟମିତ ଯାଞ୍ଚର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।

ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ କହିଛନ୍ତି, ନିର୍ମାଣାଧୀନ ଆପାର୍ଟମେଣ୍ଟ ଓ କୋଠା ପାଇଁ ଫାଉଣ୍ଡେସନ୍, ବେସମେଣ୍ଟ ଓ ଲିଫ୍ଟ ନିମନ୍ତେ ଖୋଳାଯାଉଥିବା ଗଭୀର ଗାତଗୁଡ଼ିକୁ ସୁରକ୍ଷିତ ଭାବେ ଆବଦ୍ଧ କରାନଯିବାରୁ ନିରୀହ ପଶୁମାନେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି। ଏଭଳି ଘଟଣା ରୋକିବା ପାଇଁ ପ୍ରଶାସନ ନିର୍ମାଣ ସ୍ଥଳ ଗୁଡ଼ିକରେ ନିୟମିତ ଯାଞ୍ଚ କରିବା ସହ ଅସୁରକ୍ଷିତ ଭାବେ ଗାତ ଖୋଲା ରଖୁଥିବା ମାଲିକ ଓ ନିର୍ମାଣକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।
