ତୁମୁଡ଼ିବନ୍ଧ, ତା. ୨୨/୦୯: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର ବିଦ୍ୟାଳୟର ପ୍ରାଚୀର ପତ୍ରିକା ‘ପାହାଡ଼ି’ ଉନ୍ମୋଚିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସୁନୀଲ କୁମାର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭା ଓ ସାହିତ୍ୟିକ ଦକ୍ଷତାକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତୁମୁଡ଼ିବନ୍ଧ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଭିକାରୀ ବେହେରା ଯୋଗଦେଇଥିଲେ। ସେ ଧୂପଦୀପ ପ୍ରଜ୍ଜ୍ୱଳନ କରିବା ସହ ‘ପାହାଡ଼ି’ ପ୍ରାଚୀର ପତ୍ରିକାର ଔପଚାରିକ ଉନ୍ମୋଚନ କରିଥିଲେ।ଏହି ଅବସରରେ ବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁନୀଲ କୁମାର ପାତ୍ର କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ମନରେ ଥିବା ଚିନ୍ତାଧାରା, କଳ୍ପନାଶକ୍ତି ଓ ସୃଜନଶୀଳ ପ୍ରତିଭାକୁ ପ୍ରକାଶ କରିବା ପାଇଁ ପ୍ରାଚୀର ପତ୍ରିକା ଏକ ଉତ୍ତମ ମାଧ୍ୟମ। ନିଜସ୍ୱ ଚିନ୍ତାକୁ ଶବ୍ଦରେ ପ୍ରକାଶ କରିବା ଓ ଶବ୍ଦ ସଂଯୋଜନାର ଅଭ୍ୟାସ ଦ୍ୱାରା

ଛାତ୍ରଛାତ୍ରୀଙ୍କ ଭାଷାଜ୍ଞାନ ଓ ଲେଖନ ଦକ୍ଷତା ବିକଶିତ ହୋଇପାରିବ। ଏଭଳି ସୃଜନଶୀଳ କାର୍ଯ୍ୟକଳାପ ଶିକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।ମୁଖ୍ୟ ଅତିଥି ଭିକାରୀ ବେହେରା କହିଥିଲେ ଯେ, ‘ପାହାଡ଼ି’ କେବଳ ଏକ ପ୍ରାଚୀର ପତ୍ରିକା ନୁହେଁ, ଏହା ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଚିନ୍ତାଧାରା ଓ ପ୍ରତିଭା ପ୍ରକାଶର ଏକ ମଞ୍ଚ। ଏହା ମାଧ୍ୟମରେ ଶିକ୍ଷାର୍ଥୀମାନେ ନିଜର ଲେଖା, ଭାବନା ଓ ସାହିତ୍ୟିକ ପ୍ରତିଭାକୁ ପ୍ରକାଶ କରିବାର ସୁଯୋଗ ପାଇବେ। ଏହା ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଓ ସମୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଥିଲେ।ବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ସୁନିତା ସାହୁଙ୍କ ତତ୍ତ୍ୱାବଧାନରେ ‘ପାହାଡ଼ି’ ପ୍ରାଚୀର ପତ୍ରିକା ପ୍ରସ୍ତୁତ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଲେଖା ଓ ବିଭିନ୍ନ ସାହିତ୍ୟିକ ପ୍ରତିଭାର ପ୍ରତିଫଳନ ଦେଖିବାକୁ ମିଳିଛି।ଉନ୍ମୋଚନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଏହି ସୃଜନଶୀଳ ପ୍ରୟାସକୁ ଉତ୍ସାହିତ କରିଥିଲେ। ଶେଷରେ ଅଧ୍ୟାପକ ଡ଼. ସତ୍ୟରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
