ଚନ୍ଦ୍ରପୁର I ରାୟଗଡ଼ା ଜିଲ୍ଲା I କୈଳାସ ମାଳବିଶୋଇ I ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ବିଜାପୁର ପଞ୍ଚାୟତର ସିଖରଗୁଡି ପ୍ରାଥମିକ ବିଦ୍ୟାଳୟର ଟିଣ ଛପର ପବନ ଓ ବର୍ଷାରେ ଉଡ଼ିଯାଇଥିବା ଅଭିଯୋଗ ହୋଇଛି।

ଛପର ଉଡ଼ିଯିବାର ପ୍ରାୟ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ମରାମତି କରାଯାଇନଥିବାରୁ ବିଦ୍ୟାଳୟର ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବର୍ତ୍ତମାନ ଏହି ବିଦ୍ୟାଳୟରେ ଦୁଇଜଣ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ୨୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତେବେ ବିଦ୍ୟାଳୟର ଛପର ମରାମତି ହୋଇନଥିବାରୁ ବର୍ଷା ଓ ପବନ ସମୟରେ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ଛାତ୍ରଛାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଗ୍ରାମବାସୀଙ୍କ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ମରାମତି ନହେବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ବିଦ୍ୟାଳୟର ଛପର ମରାମତି କରି ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଶିକ୍ଷା ପରିବେଶ ସୁନିଶ୍ଚିତ କରିବାକୁ ଗ୍ରାମବାସୀ ଶିକ୍ଷା ବିଭାଗ ନିକଟରେ ଦାବି କରିଛନ୍ତି।
