ପାହାଡ଼ ଛାତିରେ ରହସ୍ୟମୟ ଗୁମ୍ଫା! ରାଜାରାଜୁଡ଼ା ଅମଳର ସୁଡ଼ଙ୍ଗ ନା ଋଷିମୁନିଙ୍କ ତପସ୍ୟାସ୍ଥଳୀ? ଆଜି ବି ସାଧନାରେ ସାଧୁ ଅଯୋଧା ଦାସ
ଚ଼ିକିଟି | ଗଞ୍ଜାମ | କେଳାଝୁରି | ଜଗନ୍ନାଥ ନାୟକ ||
ପାହାଡ଼ର ନିର୍ଜନତା ଭିତରେ ଲୁଚି ରହିଛି ଏକ ପ୍ରାଚୀନ ଗୁମ୍ଫା। ଚାରିପଟେ ପ୍ରକୃତିର ନିରବତା, ଆଉ ଭିତରେ ଇତିହାସର ଅନେକ ଅକୁହା କାହାଣୀ। ଗଞ୍ଜାମ ଜିଲ୍ଲା କେଳାଝୁରି ନିକଟସ୍ଥ ରୁଷି ଦଳି ଅଞ୍ଚଳରେ ଥିବା ଏହି ପ୍ରାଚୀନ ଗୁମ୍ଫା ଏବେ ବି ରହସ୍ୟ ଓ ଆସ୍ଥାର ଏକ ଅନନ୍ୟ ନିଦର୍ଶନ ହୋଇ ରହିଛି। ସ୍ଥାନୀୟ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ ଅନେକ ରୋଚକ କଥା। କୁହାଯାଏ, ରାଜାରାଜୁଡ଼ା ଅମଳରେ ଏହି ଗୁମ୍ଫା ଦେଇ ଥିବା ସୁଡ଼ଙ୍ଗ ମାଧ୍ୟମରେ ଯାତାୟାତ ହେଉଥିଲା। ଆଉ କେହି କହନ୍ତି, ପ୍ରାଚୀନ କାଳରେ ଋଷିମୁନିମାନେ ଏହି ନିର୍ଜନ ଗୁମ୍ଫାରେ ବସି ତପସ୍ୟା କରୁଥିଲେ।

ସତରେ କ’ଣ ରହିଛି ଏହି ଗୁମ୍ଫାର ଅନ୍ତରାଳରେ? ଏହି ପ୍ରଶ୍ନ ଆଜି ବି ଅନେକଙ୍କ ମନରେ କୌତୂହଳ ସୃଷ୍ଟି କରୁଛି। ବର୍ତ୍ତମାନ ଏହି ଗୁମ୍ଫାରେ ସାଧୁ ଅଯୋଧା ଦାସ ରହି ସାଧନା କରୁଛନ୍ତି। ନିର୍ଜନ ପରିବେଶରେ ତାଙ୍କର ଆଧ୍ୟାତ୍ମିକ ଜୀବନ ଏହି ସ୍ଥାନର ଧାର୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇ ଦେଇଛି। ତେବେ ଏତେ ପ୍ରାଚୀନ ଓ ରହସ୍ୟମୟ ସ୍ଥାନ ଆଜି ବି ପ୍ରଶାସନର ଦୃଷ୍ଟି ଅପେକ୍ଷାରେ। ଗୁମ୍ଫାର ସୁରକ୍ଷା, ଐତିହାସିକ ଅନୁସନ୍ଧାନ ଓ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଗଲେ ଏହି ସ୍ଥାନ ଆଗାମୀ ଦିନରେ ଗଞ୍ଜାମର ଏକ ଆକର୍ଷଣୀୟ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରେ। ପ୍ରଶାସନର ଦୃଷ୍ଟି ପଡ଼ିଲେ, ହୁଏତ ରହସ୍ୟର ଏହି ଗୁମ୍ଫା ଦିନେ ଇତିହାସର ଏକ ନୂଆ ଅଧ୍ୟାୟ ଖୋଲିବ।
