ବାଲିଗୁଡ଼ା, ୦୭/୦୯: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାରେ ନିଶା କାରବାର ଓ ଅପରାଧୀଙ୍କ ବିରୋଧରେ ବାଲିଗୁଡ଼ା ପୋଲିସର ଅଭିଯାନ ଜୋରଦାର ହୋଇଛି। ପାଟ୍ରୋଲିଂ ସମୟରେ ମିଳିଥିବା ବିଶ୍ୱସ୍ତ ସୂଚନା ଆଧାରରେ ପୋଲିସ ଚଢ଼ାଉ କରି ୪୨ କିଲୋ ୪୦୦ ଗ୍ରାମ ଚୋରା ଗଞ୍ଜେଇ, ଦୁଇଟି ଦେଶୀ ନିର୍ମିତ ଏସ୍ବିଏମ୍ଏଲ୍ ବନ୍ଧୁକ ଏବଂ ଦୁଇଟି ମୋଟରସାଇକେଲ ଜବତ କରିଛି।ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ତଳିପଡ଼ା ଗ୍ରାମର ନୀଳାମ୍ବତ ମଲ୍ଲିକ (୨୬), ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ବନ୍ଧଗିଡ଼ା ଗ୍ରାମର ବୀରେନ୍ଦ୍ର ମଲ୍ଲିକ (୨୦) ଏବଂ କେନ୍ଦୁବାଡ଼ା ଗ୍ରାମର ରଞ୍ଜିତ ଭୋଇ (୨୧)।ଏନେଇ ବାଲିଗୁଡ଼ା ଥାନାରେ ମାମଲା ନଂ-୨୨୬/୨୦୨୬ ରୁଜୁ ହୋଇଛି।
ଅଭିଯୁକ୍ତମାନଙ୍କ ବିରୋଧରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ii)(C) ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫(୧-ବି)(କ) ଅନୁଯାୟୀ ମାମଲା ରୁଜୁ କରାଯାଇଛି।ପୋଲିସର ପ୍ରାଥମିକ ତଦନ୍ତରୁ ଗିରଫ ତିନି ଅଭିଯୁକ୍ତଙ୍କର କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ଡକାୟତି ସମେତ ଏକାଧିକ ଅପରାଧିକ ମାମଲା ସହ ସମ୍ପୃକ୍ତି ଥିବା ସୂଚନା ମିଳିଛି। ଗଞ୍ଜେଇ ଚାଲାଣ ଓ ଅସ୍ତ୍ରଶସ୍ତ୍ର କାରବାର ପଛରେ ଆଉ କେହି ସଂଶ୍ଲିଷ୍ଟ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।ବାଲିଗୁଡ଼ା ଏସ୍ଡିପିଓ ଶୁଭମ ଭୋସଲେଙ୍କ ନେତୃତ୍ୱରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
