ବାଲିଗୁଡ଼ା, ୨୫/୦୮:ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦିଗିପଡ଼ି ଗାଁରେ ରାସ୍ତାକୁ ଲାଗି ରହିଥିବା କେନାଲ ଯୋଗୁଁ ରାସ୍ତା ଧୋଇ ଯାଇ ବିପଦସଂକୁଳ ହୋଇପଡ଼ିଛି। ପ୍ରତିବର୍ଷ ବର୍ଷା ଋତୁରେ କେନାଲରେ ପ୍ରବଳ ଜଳ ପ୍ରବାହ ହେବା ଫଳରେ ମାଟି ଅତଡ଼ା ଖସି ରାସ୍ତା ଧୋଇଯାଉଥିବା ବେଳେ ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ଆହୁରି ଗମ୍ଭୀର ହୋଇଛି।ବର୍ଷାଜଳରେ ମାଟି ଧୋଇଯାଇ ରାସ୍ତାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ନିତିଦିନ ବିପଦର ସମ୍ମୁଖୀନ ହେଉଛନ୍ତି। ଦିଗିପଡ଼ି, ଗପକେତା ଓ ଟକଲାପଦର ଭଳି ତିନୋଟି ରାଜସ୍ୱ ଗ୍ରାମର ୩୦୦ରୁ ଅଧିକ ଲୋକ ଏହି ରାସ୍ତା ଉପରେ ନିର୍ଭର କରି ଦୈନିକ ଯାତାୟାତ କରୁଛନ୍ତି।ରାସ୍ତାରେ ବଡ଼ ଗର୍ତ୍ତ ସୃଷ୍ଟି ହେବା ଯୋଗୁଁ ଅନେକ ଗୃହପାଳିତ ପଶୁଙ୍କ ଜୀବନ ମଧ୍ୟ ଯାଇଥିବା ଗ୍ରାମବାସୀ କହିଛନ୍ତି। ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ ଗ୍ରାମବାସୀ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ଏହି ବିପଦସଂକୁଳ ରାସ୍ତାରେ ଯାତାୟାତ କରୁଛନ୍ତି।ଏନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଯେକୌଣସି ସମୟରେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ବାରଖମା ପଞ୍ଚାୟତ ଜନପ୍ରତିନିଧି ପରମାନନ୍ଦ ନାୟକ ଦିଗିପଡ଼ି ଗାଁରେ ପହଞ୍ଚି ବିପଦସଂକୁଳ ରାସ୍ତା ଓ କେନାଲର ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କରାଇବା ସହ ରାସ୍ତା ଓ କେନାଲର ଶୀଘ୍ର ନିର୍ମାଣ ଏବଂ ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।ଗ୍ରାମବାସୀଙ୍କ ଦୈନିକ ଯାତାୟାତ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା ଓ କେନାଲର ସ୍ଥାୟୀ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସ୍ଥାନୀୟ ଲୋକେ ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

