ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର: ଋଷିକୂଲ୍ୟା ନଦୀ ସେତୁ ଓ ପୋଲ ନିର୍ମାଣ କାର୍ଯ୍ୟର ତ୍ୱରିତ ମଞ୍ଜୁରୀ ପାଇଁ ଅନୁରୋଧ
ବ୍ରହ୍ମପୁର,(ବିଚିତ୍ରସାହୁ):-
ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମାନ୍ୟବର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ୱତନ୍ତ୍ର ପତ୍ର ଲେଖି ଋଷିକୂଲ୍ୟା ନଦୀ ଉପରେ ହାଇ-ଲେଭେଲ୍ ରୋଡ୍ ଓଭର ବ୍ରିଜ୍ (ROB – ଲେଭେଲ୍ କ୍ରସିଂ ନଂ. ୨୮୪) ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଆଗେଇ ନେବା ପାଇଁ ଅନୁରୋଧ କରିଛନ୍ତି।ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କ ପତ୍ର (ପତ୍ର ସଂଖ୍ୟା: ECoR/GA/MP-MLA/190/686, ତା – ୦୮.୦୮.୨୦୨୬) ଅନୁସାରେ, ରେଳ ବିଭାଗ ଏବଂ ରାଜ୍ୟ ପୂର୍ତ୍ତ (PWD) ବିଭାଗର ମିଳିତ ପରିଦର୍ଶନ ପରେ ସେତୁର ନୂତନ ଆଲାଇନମେଣ୍ଟ ଆନୁଷ୍ଠାନିକ ଭାବେ ନିର୍ଦ୍ଧାରିତ ହୋଇସାରିଛି। ଏହାଦ୍ୱାରା ୩ୟ ଓ ୪ର୍ଥ ରେଳ ଲାଇନ୍ ନିର୍ମାଣରେ କୌଣସି ବାଧା ସୃଷ୍ଟି ହେବ ନାହିଁ।ସାଂସଦ ଡଃ ପାଣିଗ୍ରାହୀ ଜଣାଇଛନ୍ତି ଯେ, ଛତ୍ରପୁର ଆପ୍ରୋଚ୍ (ସେତୁ ସଂଖ୍ୟା ୯୫୦) ପାଇଁ ରାଜ୍ୟ ସଡ଼କ/ପୂର୍ତ୍ତ ବିଭାଗ ପକ୍ଷରୁ “ଜେନେରାଲ ଆରେଞ୍ଜମେଣ୍ଟ ଡ୍ରଇଂ” (GAD) ରେଳ ବିଭାଗକୁ ହସ୍ତାନ୍ତର କରାଯିବା ବାକି ଅଛି। ଏହି Technical Drawing (GAD) ମିଳିବା ମାତ୍ରେ ରେଳ ବିଭାଗ ଏହାର ଚୂଡ଼ାନ୍ତ ମଞ୍ଜୁରୀ ପ୍ରଦାନ କରିବ।ଗଞ୍ଜାମ ଜିଲ୍ଲାର ଜନସାଧାରଣଙ୍କ ଯାତାୟାତ ସୁବିଧା ଏବଂ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ପୂର୍ତ୍ତ ବିଭାଗକୁ ତୁରନ୍ତ GAD ଚୂଡ଼ାନ୍ତ କରି ରେଳବାଇକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେବାକୁ ସାଂସଦ, ମୁଖ୍ୟମନ୍ତ୍ରୀଙ୍କ ଆଶୁ ହସ୍ତକ୍ଷେପ ଲୋଡ଼ିଛନ୍ତି।
