ବାଲିଗୁଡ଼ାରେ ବିଶ୍ୱ ଆଦିବାସୀ ଦିବସ ପାଳିତଆଦିବାସୀଙ୍କ ଅଧିକାର, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ

ବାଲିଗୁଡ଼ା, ୦୯/୦୮: ସୁକାନ୍ତ କୁମାର ତ୍ରିପାଠୀ

ବାଲିଗୁଡ଼ାରେ ବିଶ୍ୱ ଆଦିବାସୀ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଆଦିବାସୀ ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ଆଦିବାସୀ ଜନଜାତିଙ୍କ ବିଭିନ୍ନ ଅଧିକାର ଓ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ସାମୂହିକ ଭାବେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ଏହାପରେ ସ୍ଥାନୀୟ ସଭାଗୃହରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ବାଲିଗୁଡ଼ା ବ୍ଲକ୍ ସଭାପତି କ୍ଳେଶ ପ୍ରଧାନ ସଭା ପରିଚାଳନା କରିଥିଲେ। ସଭାରେ ଆଦିବାସୀ ସମାଜର ଅଧିକାର, ସାମାଜିକ ସୁରକ୍ଷା ଏବଂ ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇଥିବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା ଡେପୁଟି ସବ୍‌କଲେକ୍ଟର ସଞ୍ଜୀବ ରୂପା ମାଝୀ, ଅବସରପ୍ରାପ୍ତ ସେନା ଅଧିକାରୀ ବିଜେଶ୍ୱର ମଲିକ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ପ୍ରଦୀପ ମଲିକଙ୍କ ସମେତ କୋଟଗଡ଼, ତୁମୁଡ଼ିବନ୍ଧ, କ.ନୂଆଗାଁ, ରାଇକିଆ, ଦାରିଙ୍ଗବାଡ଼ି, ଟିକାବାଲି ଓ ଉଦୟଗିରି ଅଞ୍ଚଳର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।ଏଥିସହ ଆଦିବାସୀ ସମାଜର ବହୁ ସଂଖ୍ୟକ ଲୋକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ। କୁଇ ସମାଜର ସମ୍ପାଦକ ଦୟାନିଧି ମଲିକ ସ୍ମାରକପତ୍ର ପାଠ କରିଥିଲେ।ବକ୍ତାମାନେ ଆଦିବାସୀ ସମାଜର ଐତିହ୍ୟ, ପରମ୍ପରା ଓ ସମୃଦ୍ଧ ସଂସ୍କୃତିର ସୁରକ୍ଷା ସହ ଏହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଆଦିବାସୀଙ୍କ ଅଧିକାର ଓ ସ୍ୱାଭିମାନର ସୁରକ୍ଷା ସହ ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।

ବାଲିଗୁଡ଼ାରେ ବିଶ୍ୱ ଆଦିବାସୀ ଦିବସ ପାଳିତଆଦିବାସୀଙ୍କ ଅଧିକାର, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ

advertisement

You might also like
error: Content is protected !!