ବାଲିଗୁଡା, ୦୪/୦୮: ସୁକାନ୍ତ କୁମାର ତ୍ରିପାଠୀ
ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତମାନଙ୍କ ଅପାର ଭିଡ଼ ପରିଲକ୍ଷିତ ହୋଇଥିଲା। ବିଶେଷକରି କାଉଡ଼ିଆ ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି ନିଜ ମାନସିକ ପୂରଣ ଉଦ୍ଦେଶ୍ୟରେ ନିକଟସ୍ଥ ଖଡ଼ଗ ନଦୀ ବାଲିରେ ଶିବଲିଙ୍ଗ ସ୍ଥାପନ କରି ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ।ପୂଜା ପରେ କଳସରେ ନଦୀଜଳ ଭରି ଶ୍ରାବଣୀ ଭାର କାନ୍ଧରେ ବହନ କରି ଶହ ଶହ ସଂଖ୍ୟାରେ କାଉଡ଼ିଆମାନେ “ବୋଲ ବମ୍” ଏବଂ “ହର ହର ବମ୍” ଧ୍ୱନିରେ ବିଭିନ୍ନ ଶୈବପୀଠ ଅଭିମୁଖେ ପଦଯାତ୍ରା କରିଥିଲେ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ବାଲିଗୁଡା ଓ ଏହାର ଆଖପାଖ ଅଞ୍ଚଳର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର, ଚକାପାଦର ବିରୁପାକ୍ଷ ମନ୍ଦିର ଏବଂ ଟିକାବାଲି ନିକଟ ଡୁଙ୍ଗୀସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ସମେତ ବିଭିନ୍ନ ଶୈବପୀଠରେ କନ୍ଧମାଳ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତମାନେ ଜଳାଭିଷେକ କରି ମହାଦେବଙ୍କ ଆଶୀର୍ବାଦ କାମନା କରିଥିଲେ।ଭକ୍ତମାନଙ୍କ ସୁବିଧା ପାଇଁ ନଦୀଘାଟରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କାଉଡ଼ିଆମାନଙ୍କ ପାଇଁ ପ୍ରସାଦ, ପାନୀୟ ଜଳ ଓ ବିଶ୍ରାମର ବ୍ୟବସ୍ଥା କରାଯାଇଥିଲା। ସେମାନଙ୍କର ଏହି ସେବାକାର୍ଯ୍ୟକୁ ଭକ୍ତମାନେ ଉଚ୍ଚ ପ୍ରଶଂସା କରିଥିଲେ।