ଚିକିଟି,(ଜଗନ୍ନାଥ ନାୟକ):-
ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକର ପଦାଦିଗି ଗ୍ରାମପଞ୍ଚାୟତର ପଦାଦିଗି ଗ୍ରାମରେ ପବିତ୍ର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ରଥଯାତ୍ରା ଭକ୍ତି, ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଛି।ମଠର ମହନ୍ତ ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ବାହୁଡ଼ା ରଥଯାତ୍ରାରେ ଶ୍ରୀଜଗନ୍ନାଥ, ରଥରେ ବିରାଜମାନ କରାଯାଇ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଭକ୍ତମାନେ ହରିବୋଲ ଓ ‘ଜୟ ଜଗନ୍ନାଥ’ ଧ୍ୱନି ମଧ୍ୟରେ ରଥ ଟାଣି ପ୍ରଭୁଙ୍କୁ ମନ୍ଦିରକୁ ବାହୁଡ଼ା କରାଇଥିଲେ।ବାହୁଡ଼ା ରଥଯାତ୍ରା ହେଉଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମବେଦୀରୁ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନର ପବିତ୍ର ପର୍ବ। ଏହି ଦିନକୁ ଅତ୍ୟନ୍ତ ଶୁଭ ଓ ପୁଣ୍ୟମୟ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି। ରଥ ଟାଣିବା ଏବଂ ପ୍ରଭୁଙ୍କ ଦର୍ଶନ କରିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଓ ମଙ୍ଗଳ ପ୍ରାପ୍ତ ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।ଏହି ଅବସରରେ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଧାର୍ମିକ ଉତ୍ସାହ ସହିତ ଗ୍ରାମବାସୀଙ୍କ ଏକତା ଓ ସହଯୋଗ ଏହି ପବିତ୍ର ପର୍ବକୁ ଆହୁରି ଭବ୍ୟ ଓ ସ୍ମରଣୀୟ କରିଥିଲା।