ବାଲିଗୁଡ଼ା, ୨୩/୦୭: ଆଗାମୀ ୮୦ତମ ସ୍ୱାଧୀନତା ଦିବସ ପାଳନକୁ ସୁଚାରୁ ଓ ଭବ୍ୟ ଭାବେ ଆୟୋଜନ କରିବା ଲକ୍ଷ୍ୟରେ ବାଲିଗୁଡ଼ା ଉପଖଣ୍ଡ କାର୍ଯ୍ୟାଳୟର ବୈଠକ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟିର ସଭାପତି ଶ୍ରୀମତୀ ପ୍ରଣିତା ଦାସ (ଭା.ପ୍ର.ସେ)ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସ୍ୱାଧୀନତା ଦିବସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା।ଚଳିତ ବର୍ଷ ସ୍ୱାଧୀନତା ଦିବସ ଉତ୍ସବ ବାଲିଗୁଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ହେବ। ପ୍ରତ୍ୟୁଷ ୫ଟାରେ ରାମଧୁନ ପରିବେଷଣ ସହ ସହର ପରିକ୍ରମା କରାଯିବ। ସକାଳ ୭ଟା ସୁଦ୍ଧା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ପରେ ସକାଳ ୯ଟା ୧୫ ମିନିଟ୍ରେ ମିନି ଷ୍ଟାଡିୟମରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିବେ।ସ୍ୱାଧୀନତା ଦିବସ ଅବସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା, ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଏବଂ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ କାରାଗାର ସମେତ ଅନ୍ୟାନ୍ୟ ସ୍ଥାନରେ ରୋଗୀମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ

![]()
ମଧ୍ୟ ଆୟୋଜନ କରାଯିବାକୁ ସ୍ଥିର ହୋଇଛି।ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ (ଭା.ପୋ.ସେ), ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା (ଓ.ପ୍ର.ସେ), ଏନଏସି ଚେୟାରମ୍ୟାନ, ବ୍ଲକ ଚେୟାରମ୍ୟାନ, ସହକାରୀ ଜିଲ୍ଲାପାଳ ଅବିନାଶ ପଣ୍ଡା, ବାଲିଗୁଡ଼ା ଆଇଆଇସି ସମୀର କୁମାର ପ୍ରଧାନ, ଏନଏସି ଇଓ ବିବେକାନନ୍ଦ ଦଳାଇ, ଅଗ୍ନିଶମ ବିଭାଗର ଏଏସଓ ଅମିତାଭ ରାଜ, ବରିଷ୍ଠ ଅଧିବକ୍ତା କୈସିକ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷାବିତ୍, ଗଣମାଧ୍ୟମ ପ୍ରତିନିଧି ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ।ବୈଠକର ପରିଚାଳନା ବାଲିଗୁଡ଼ା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ଏବଂ ଉତ୍ସବ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ତୀର୍ଥବାସୀ ଘଡାଇ, ରଶ୍ମିରଞ୍ଜନ ମହାରଣା ଓ ଅଭିମନ୍ୟୁ ପ୍ରଧାନ କରିଥିଲେ। ବୈଠକରେ ବାଲିଗୁଡ଼ା ଉପଖଣ୍ଡର ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସଂଗଠନ ଓ ବହୁ ସଂଖ୍ୟକ ନାଗରିକ ଯୋଗଦେଇ ସଫଳ ଆୟୋଜନ ପାଇଁ ମତାମତ ପ୍ରଦାନ କରିଥିଲେ।
ରିପୋର୍ଟ – ସୁକାନ୍ତ କୁମାର ତ୍ରିପାଠୀ