ବାଲିଗୁଡ଼ା, ୨୩/୦୭: କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରମୁଖ ‘ଟିଚ୍ କନ୍ଧମାଳ’ ଅଭିଯାନ ଅନ୍ତର୍ଗତ ଉପ-ଜିଲ୍ଲାପାଳ ମହୋଦୟା ତୁମୁଡ଼ିବନ୍ଧ ବ୍ଲକ୍ର ମୁଣ୍ଡିଗଡ଼ସ୍ଥିତ ମା’ ଭୈରବୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନ ବ୍ୟବସ୍ଥା ଓ ବିଦ୍ୟାଳୟର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି।ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ସୁଧାର ଆଣିବା, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବା ସହ ପ୍ରତ୍ୟେକ ସୋମବାର ସାଧାରଣ ଅଭିଯୋଗ ଶୁଣାଣି ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ସ୍ଥିତି ପରଖିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।ପରିଦର୍ଶନ ସମୟରେ ଉପ-ଜିଲ୍ଲାପାଳ ପ୍ରାର୍ଥନା ସଭାରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହା ସହ ଶିକ୍ଷାଦାନର ଗୁଣବତ୍ତା, ମଧ୍ୟାହ୍ନ ଭୋଜନ (ଏମ୍ଡିଏମ୍)ର ମାନ, ବିଦ୍ୟାଳୟର ସ୍ୱଚ୍ଛତା, ଶ୍ରେଣୀଗୃହ ଓ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ସମୀକ୍ଷା




କରିଥିଲେ। ସେହିପରି ଶିକ୍ଷକ ଓ କର୍ମଚାରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟର ବିଭିନ୍ନ ସମସ୍ୟା ଏବଂ ଉନ୍ନତି ସମ୍ପର୍କିତ ମତାମତ ନେଇଥିଲେ।ଏହି ଅବସରରେ ଉପ-ଜିଲ୍ଲାପାଳ କହିଥିଲେ, ଟିଚ୍ କନ୍ଧମାଳ’ କେବଳ ଏକ ନିରୀକ୍ଷଣ କାର୍ଯ୍ୟକ୍ରମ ନୁହେଁ, ବରଂ ଗ୍ରାମାଞ୍ଚଳର ପିଲାମାନଙ୍କୁ ସିଧାସଳଖ ଭେଟି ସେମାନଙ୍କୁ ପ୍ରେରଣା ଯୋଗାଇବା ଏବଂ ବିଦ୍ୟାଳୟଗୁଡ଼ିକରେ ଉତ୍ତମ ଶିକ୍ଷା ଓ ସୁସ୍ଥ ପରିବେଶ ସୁନିଶ୍ଚିତ କରିବାର ଏକ ପ୍ରୟାସ। ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏଭଳି ପରିଦର୍ଶନ ନିୟମିତ ଭାବେ ଜାରି ରହିବ।
ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ
