ବାଲିଗୁଡ଼ା, ୧୮/୭: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅଞ୍ଚଳରେ କିଛିଦିନ ଧରି ବାରମ୍ବାର ଘଟୁଥିବା ବାଇକ ଚୋରି ଘଟଣାର ପର୍ଦ୍ଦାଫାଶ କରିବାରେ ବାଲିଗୁଡ଼ା ପୁଲିସ ବଡ଼ ସଫଳତା ହାସଲ କରିଛି। ପୁଲିସ ଏକ ସଂଗଠିତ ବାଇକ ଚୋରି ରାକେଟକୁ ଧରି ୪ ଜଣଙ୍କୁ ଗିରଫ କରିବା ସହ ୫ଟି ଚୋରା ମୋଟରସାଇକେଲ ଏବଂ ୨ଟି ଭୁଜାଲି ଜବତ କରିଛି।ସୂଚନା ଅନୁଯାୟୀ, ଚଳିତ ମାସ ୧୫ ତାରିଖ ସନ୍ଧ୍ୟାରେ ବନ୍ଧନ ବ୍ୟାଙ୍କରେ କାର୍ଯ୍ୟରତ ବୌଦ୍ଧ ଜିଲ୍ଲା ଗୋଛାପଡ଼ା ଗ୍ରାମର ସମ୍ବିତ ବାରିକ ବ୍ୟାଙ୍କ ସମ୍ମୁଖରେ ତାଙ୍କର କଳା ରଙ୍ଗର ହିରୋ ଗ୍ଲାମର (ଓଡି-୦୩-ଏକ୍ସ-୦୦୫୬) ମୋଟରସାଇକେଲ ରଖି କାର୍ଯ୍ୟ ସାରିବାକୁ ଯାଇଥିଲେ। ଫେରିବା ପରେ ବାଇକଟି ନମିଳିବାରୁ ସେ ବାଲିଗୁଡ଼ା ଥାନାରେ ଏତଲା ଦେଇଥିଲେ। ଏହାକୁ ଆଧାର କରି ବାଲିଗୁଡ଼ା ଥାନା କେସ୍ ନଂ-୧୭୭/୨୬ ରୁଜୁ କରି ଏସଆଇ ବିକାଶ କୁମାର ଜାଲିଙ୍କ ନେତୃତ୍ୱରେ ପୁଲିସ ଦଳ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଥିଲା।ଶନିବାର ସନ୍ଧ୍ୟାରେ ପୁଲିସ ଅଭିଯାନରେ ସଫଳତା ପାଇ ବାଇକ ଚୋରି ରାକେଟର ପର୍ଦ୍ଦାଫାଶ କରିଥିଲା। ଏହି ରାକେଟରୁ ୫ଟି ବାଇକ ଜବତ ହୋଇଛି। ସେଥିମଧ୍ୟରେ ନମ୍ବର ପ୍ଲେଟ ବିହୀନ ୨ଟି ହିରୋ ଏଚଏଫ ଡିଲକ୍ସ, ଗୋଟିଏ ହିରୋ ଗ୍ଲାମର (ଓଡି-୦୩-କ୍ୟୁ-୭୨୩୭), ଚୋରି ହୋଇଥିବା ହିରୋ ଗ୍ଲାମର (ଓଡି-୦୩-ଏକ୍ସ-୦୦୫୬) ଏବଂ ଗୋଟିଏ ବଜାଜ ପଲସର (ଓଡି-୧୯-ଏଚ-୨୪୩୬) ରହିଛି। ଅଭିଯୁକ୍ତଙ୍କ ନିକଟରୁ ୨ଟି ଭୁଜାଲି ମଧ୍ୟ ଜବତ କରାଯାଇଛି।ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାନ୍ଦାପାଙ୍ଗା ଗ୍ରାମର ଆକାଶ ମଲ୍ଲିକ (୧୯) ଓ ରେବିଙ୍ଗିଆ ଗ୍ରାମର ଶକ୍ତି ଶେଖର ବେହେରା (୨୧) ଥିବାବେଳେ ଅନ୍ୟ ଦୁଇଜଣ ନାବାଳକ ବୋଲି ପୁଲିସ ସୂଚନା ଦେଇଛି।ଗିରଫ ଦୁଇ ଅଭିଯୁକ୍ତଙ୍କୁ ବାଲିଗୁଡ଼ା କୋର୍ଟରେ ଏବଂ ଦୁଇ ନାବାଳକଙ୍କୁ ଫୁଲବାଣୀ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି। ଜବତ ବାଇକଗୁଡ଼ିକୁ ଆଇନ ଅନୁଯାୟୀ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯିବ। ଏହି ଚୋରି ରାକେଟ ଅନ୍ୟ କେଉଁ କେଉଁ ଥାନା ଅଞ୍ଚଳରେ ସକ୍ରିୟ ଥିଲା, ସେନେଇ ପୁଲିସର ତଦନ୍ତ ଜାରି ରହିଛି।ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେ ଘଟଣାର ସମ୍ପୂର୍ଣ୍ଣ ସୂଚନା ଦେଇଥିବାବେଳେ ବାଲିଗୁଡ଼ା ଥାନା ଅଧିକାରୀ ସମୀର ବେହେରାଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ
