ଗଞ୍ଜାମ ଓ ଗଜପତି ଜିଲ୍ଲାର ବକେୟା ପ୍ରକଳ୍ପ ଗୁଡ଼ିକର ତୁରନ୍ତ ମଞ୍ଜୁରୀ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ​

ବ୍ରହ୍ମପୁର,(ବିଚିତ୍ର ସାହୁ):-

ରାଜ୍ୟ ସରକାରଙ୍କ ଦ୍ଵାରା ନିକଟରେ ଅନୁମୋଦିତ ହୋଇଥିବା ଐତିହାସିକ ଗ୍ରାମୀଣ ଭିତ୍ତିଭୂମି ଓ କୃଷି ପ୍ୟାକେଜ୍‌ରେ ଦକ୍ଷିଣ ଓଡ଼ିଶାର ଦୁଇ ପ୍ରମୁଖ ଜିଲ୍ଲା ଗଞ୍ଜାମ ଏବଂ ଗଜପତିର ବିଭିନ୍ନ ବକେୟା ଉନ୍ନୟନମୂଳକ ପ୍ରକଳ୍ପକୁ ସାମିଲ କରିବା ପାଇଁ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୪ତମ କ୍ୟାବିନେଟ୍ ବୈଠକରେ ଗ୍ରାମୀଣ ଭିତ୍ତିଭୂମି ପାଇଁ ୩୨,୦୬୭ କୋଟି ଟଙ୍କା ଏବଂ କୃଷି କ୍ଷେତ୍ର ପାଇଁ ୨,୪୯୬.୪୦ କୋଟି ଟଙ୍କାର ଯେଉଁ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି, ସେଥିପାଇଁ ସାଂସଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କ୍ୟାବିନେଟ୍‌କୁ ସାଧୁବାଦ ଜଣାଇଛନ୍ତି।​ଏହି ପରିପ୍ରେକ୍ଷୀରେ ସାଂସଦ ଡ. ପାଣିଗ୍ରାହୀ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି ଯେ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅନେକ ଗୁରୁତ୍ଵପୂର୍ଣ୍ଣ ସେତୁ, ଗ୍ରାମ୍ୟ ରାସ୍ତା, ମେଗା ଲିଫ୍ଟ ଇରିଗେସନ୍ ଏବଂ ଆନୁଷଙ୍ଗିକ ପ୍ରକଳ୍ପ ଦୀର୍ଘ ଦିନ ହେବ ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ରହିଛି। ସରକାରଙ୍କ ଏହି ବିପୁଳ ବ୍ୟୟବରାଦ ଯେପରି ଦକ୍ଷିଣ ଓଡ଼ିଶାର ପ୍ରାନ୍ତୀୟ ଓ ଉପାନ୍ତ ଅଞ୍ଚଳରେ ଥିବା ଲୋକଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ସେ ନିମ୍ନଲିଖିତ ଦାବିଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି:​ଜଳସେଚନ ଓ ମେଗା ପ୍ରକଳ୍ପ: ଋଷିକୂଲ୍ୟା ନଦୀ ଉପରେ ପ୍ରସ୍ତାବିତ ପିପଳାପଙ୍କା ଡ୍ୟାମ ପ୍ରକଳ୍ପ, ସୋରଡ଼ା ବ୍ଲକର ଆଡ଼ଙ୍ଗୀ ଡ୍ୟାମ ପ୍ରକଳ୍ପ, ଜଗନ୍ନାଥପ୍ରସାଦ ବ୍ଲକର ବିଲୁମରା ନିକଟସ୍ଥ ବାନ୍ଥା (କୋକଲାବା) ବ୍ୟାରେଜ୍, ବଡ଼ନଦୀ ଉପରେ ବଡ଼ାଙ୍ଗୀ ବ୍ୟାରେଜ୍ ଏବଂ ପୁରୁଷୋତ୍ତମପୁର ବ୍ଲକର ଅନ୍ତରିଗାଁ ନିକଟସ୍ଥ ହୀରାଧରବାତୀ ବ୍ୟାରେଜ୍ ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ପ୍ରଦାନ କରିବା। ଏହାସହ ଶେରଗଡ଼, ପଥରାପୁଞ୍ଜି, ଜୁନାପାଣି (ଦିଗପହଣ୍ଡି), ହାତୀଖାଲ (ସୋରଡ଼ା) ଏବଂ ଗଞ୍ଜାମ ସହର ନିକଟସ୍ଥ ବଡ଼ଚକ୍ର ଠାରେ ପେଣ୍ଡିଂ ଥିବା ମେଗା ଲିଫ୍ଟ ପ୍ରକଳ୍ପ ଗୁଡ଼ିକୁ ତ୍ୱରାନ୍ୱିତ କରିବା।​ରାସ୍ତା ଓ ସେତୁ ସଂଯୋଗୀକରଣ: ସେତୁ ବନ୍ଧନ ଯୋଜନା (SBY) ର ₹୧୧,୮୦୦ କୋଟି ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (MMSY) ର ଅନୁଦାନ ମାଧ୍ୟମରେ ଗଜପତି ଜିଲ୍ଲାର ମୋହନା, ଆର. ଉଦୟଗିରି ଓ ଗୁମ୍ମା ଭଳି ଦୁର୍ଗମ ତଥା ମାଓ-ପ୍ରଭାବିତ ଅଞ୍ଚଳରେ ନୂତନ ରାସ୍ତା ନିର୍ମାଣ କରିବା। ଏଥିସହିତ ₹୪୦.୮୮ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ପାରଳାଖେମୁଣ୍ଡି ବାଇପାସ୍ ରୋଡ୍ ପ୍ରକଳ୍ପର ଗ୍ରାମୀଣ ସଂଯୋଗୀକରଣକୁ ସୁଦୃଢ଼ କରିବା।​କୃଷି ଭିତ୍ତିଭୂମିର ବିକାଶ: ନୂତନ କୃଷି ନୀତି ଅଧୀନରେ ଆସ୍କା, ଦିଗପହଣ୍ଡି ଏବଂ ହିଞ୍ଜିଳିକାଟୁ ଠାରେ ଆଧୁନିକ ଟେକ୍ନୋଲୋଜି ସମ୍ପନ୍ନ ସବ୍-ମାର୍କେଟ୍ ୟାର୍ଡ ଏବଂ ଇ-ଅକ୍ସନ (E-auction) କେନ୍ଦ୍ର ପ୍ରତିଷ୍ଠା କରିବା। ଯାହାଦ୍ୱାରା ସ୍ଥାନୀୟ ଚାଷୀ ଓ ଫାର୍ମର ପ୍ରୋଡ୍ୟୁସର ଅର୍ଗାନାଇଜେସନ (FPOs) ସିଧାସଳଖ ଉପକୃତ ହୋଇପାରିବେ।​ସାଂସଦ ଡ. ପାଣିଗ୍ରାହୀ ଆଶା ପ୍ରକଟ କରିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗ୍ରାମାଭିମୁଖୀ ଚିନ୍ତାଧାରା ଓ ସୂଚାରୁ ନେତୃତ୍ଵ ଯୋଗୁଁ ସମ୍ପୃକ୍ତ ପ୍ରଶାସନିକ ବିଭାଗ ଗୁଡ଼ିକ ଏହି ବକେୟା ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର ଯାଞ୍ଚ କରି କାର୍ଯ୍ୟକାରୀ କରିବେ, ଯାହା ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରଗତି ପାଇଁ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ।​ଏହି ଚିଠିର ନକଲ ଆବଶ୍ୟକୀୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳସମ୍ପଦ ବିଭାଗ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଗଞ୍ଜାମ ଓ ଗଜପତିର ଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରାଯାଇଛି।କାର୍ଯ୍ୟାଳୟ, ସାଂସଦ, ବ୍ରହ୍ମପୁର

Smart Computer Ad
You might also like
error: Content is protected !!