ବ୍ଲକ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ବ୍ୟବହାରଯୋଗ୍ୟ ଶୌଚାଳୟ ନାହିଁ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବାଲିଗୁଡ଼ା, ୧୪/୦୭: ବାଲିଗୁଡ଼ା ବ୍ଲକ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ବ୍ୟବହାରଯୋଗ୍ୟ ଶୌଚାଳୟର ଅଭାବକୁ ନେଇ ବାଲିଗୁଡ଼ା ଜନ ପ୍ରତିନିଧି ସଂଘ ପକ୍ଷରୁ ମଙ୍ଗଳବାର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଲକର ୧୩ଟି ପଞ୍ଚାୟତର ଜନପ୍ରତିନିଧିମାନେ ଏହି ଦାବିପତ୍ର ମାଧ୍ୟମରେ ତୁରନ୍ତ ଶୌଚାଳୟ ବ୍ୟବସ୍ଥାର ସୁଧାର ପାଇଁ ଦାବି ଉଠାଇଛନ୍ତି।ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶାର ସର୍ବବୃହତ ଉପଖଣ୍ଡ ମଧ୍ୟରୁ ଅନ୍ୟତମ ବାଲିଗୁଡ଼ା ଉପଖଣ୍ଡର ବ୍ଲକ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ପ୍ରତିଦିନ ହଜାର ହଜାର ଲୋକ ବିଭିନ୍ନ ସରକାରୀ କାମରେ ଆସୁଥିବା ସତ୍ତ୍ୱେ ସେମାନଙ୍କ ପାଇଁ ଉପଯୁକ୍ତ ଶୌଚାଳୟ ସୁବିଧା ନାହିଁ।ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପାଇଁ ଶୌଚାଳୟ ଥିଲେ ମଧ୍ୟ ପାଣିର ସୁବିଧା ନଥିବାରୁ ତାହା ବ୍ୟବହାରଯୋଗ୍ୟ ହୋଇପାରୁନାହିଁ। ସେହିପରି ବ୍ଲକ କାର୍ଯ୍ୟାଳୟର ଗୋଟିଏ ଶୌଚାଳୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟଟି ଅପରିଷ୍କାର ଅବସ୍ଥାରେ ରହିଥିବାରୁ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି।ଶୌଚାଳୟର ରକ୍ଷଣାବେକ୍ଷଣ ଅଭାବରୁ ପ୍ରତିଦିନ ଆସୁଥିବା ଜନସାଧାରଣ, ଜନପ୍ରତିନିଧି ଓ ବିଶେଷ କରି ଦିବ୍ୟାଙ୍ଗମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରତି ମାସରେ ବ୍ଲକ କାର୍ଯ୍ୟାଳୟରେ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଥିଲେ ମଧ୍ୟ ସେମାନଙ୍କ ଉପଯୋଗୀ ଶୌଚାଳୟ ବ୍ୟବସ୍ଥା ନଥିବାରୁ ସମସ୍ୟା ଆହୁରି ବଢ଼ୁଛି।ଗତ ଦୁଇ ବର୍ଷ ଧରି ସ୍ଥାନୀୟ ପ୍ରଶାସନଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବାରୁ ବାଧ୍ୟ ହୋଇ ଉପଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିବା ଜନପ୍ରତିନିଧିମାନେ କହିଛନ୍ତି। ଯଥାଶୀଘ୍ର ଶୌଚାଳୟ ସମସ୍ୟାର ସମାଧାନ ନ କରାଗଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ବାଲିଗୁଡ଼ା ଜନ ପ୍ରତିନିଧି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।

ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ

Smart Computer Ad
You might also like
error: Content is protected !!