ବାଲିଗୁଡା, ୧୪/୭ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ସୋମବାର ବାଲିଗୁଡାରେ ତିଳତର୍ପଣ କାର୍ଯ୍ୟକ୍ରମ ସହ ସ୍ମୃତିଚାରଣ ସଭା ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ବାଲିଗୁଡା ବସଷ୍ଟାଣ୍ଡ ନିକଟସ୍ଥ ପୁଷ୍କରିଣୀରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜାକାର୍ଯ୍ୟ ଗୁରୁଜୀ ପ୍ରମୋଦ କୁମାର ମହାପାତ୍ର ସମ୍ପନ୍ନ କରିଥିବା ବେଳେ ପଣ୍ଡିତ ଗୋପବନ୍ଧୁ ଦାସ ଓ ତାଙ୍କ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଜଳଦାନ ଓ ଅନ୍ୟାନ୍ୟ ବୈଦିକ କ୍ରିୟା ସମ୍ପାଦନ କରାଯାଇଥିଲା। ଏଥିରେ ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ମଧୁସୂଦନ ମହାପାତ୍ର, ଗଟାଙ୍ଗ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତିଥିବାସୀ ଘଡେଇ, ରବୀନ୍ଦ୍ର କୁମାର ପଣ୍ଡା, ସାମ୍ବାଦିକ ସଲମନ ଦିଗାଳ, ସୁଜିତ କୁମାର ପାଳ, ଫିଲିପ କୁମାର ଦିଗାଳ, ସୁକାନ୍ତ କୁମାର ତ୍ରିପାଠୀ, ବୁଲୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।ପରେ ସ୍ଥାନୀୟ ବନବାସୀ ସେବା ସମିତିର ସଭାଗୃହରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ ପଣ୍ଡିତ ଗୋପବନ୍ଧୁ ଦାସ ଓ ବନବାସୀ ସେବା ସମିତିର ପ୍ରାଣପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ





(ଆଜ୍ଞା)ଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ମଧୁସୂଦନ ମହାପାତ୍ର ମୁଖ୍ୟବକ୍ତା ଏବଂ ଶିକ୍ଷାନିକେତନ ବିଦ୍ୟାଳୟର ପ୍ରତିଷ୍ଠାତା ରାଜ କିଶୋର ପାଢୀ ଓ ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତିଥିବାସୀ ଘଡେଇ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।ବକ୍ତାମାନେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ସେ ଜଣେ ଦକ୍ଷ ରାଜନୀତିଜ୍ଞ, ସାମ୍ବାଦିକ, ଲେଖକ, କବି ଓ ସମାଜସେବୀ ଭାବେ ନିଜ ଜୀବନକୁ ସମାଜସେବା ପାଇଁ ଉତ୍ସର୍ଗ କରିଥିଲେ। ସେମାନେ ‘ସମାଜ’ ଖବରକାଗଜ ଓ ‘ଲୋକସେବକ ମଣ୍ଡଳ’ ମାଧ୍ୟମରେ ଗୋପବନ୍ଧୁଙ୍କ ଅବଦାନ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମକୁ ସାମ୍ବାଦିକ ଭଗବତୀ ପ୍ରସାଦ ସାବତ ପରିଚାଳନା କରିଥିବା ବେଳେ ବିଶ୍ୱଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବହୁ ଛାତ୍ରଛାତ୍ରୀ, ସମାଜସେବୀ, ସାମ୍ବାଦିକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।
ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ
