ବାଲିଗୁଡ଼ା, ତା. ୧୪/୦୭: କନ୍ଧମାଳ ବନଖଣ୍ଡ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଉପଖଣ୍ଡ ବନ ଅଧିକାରୀ ଘନଶ୍ୟାମ ମହନ୍ତିଙ୍କ ନେତୃତ୍ୱରେ ମିଳିଥିବା ବିଶ୍ୱସ୍ତ ସୂଚନା ଆଧାରରେ ଦାରିଙ୍ଗବାଡ଼ି ରେଞ୍ଜର ବୁଡାଗୁଡା ସେକ୍ସନ ଅନ୍ତର୍ଗତ କୁର୍ତ୍ତମଗଡ ସଂରକ୍ଷିତ ଜଙ୍ଗଲରେ ରାତ୍ରି ପାଟ୍ରୋଲିଂ ସମୟରେ ବ୍ୟାପକ ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉରେ ବାଲିଗୁଡ଼ା, କ.ନୂଆଗାଁ, ତୁମୁଡ଼ିବନ୍ଧ ଓ ଦାରିଙ୍ଗବାଡ଼ି ରେଞ୍ଜର ବନ କର୍ମଚାରୀମାନେ ମିଳିତ ଭାବେ ଅଂଶଗ୍ରହଣ କରିଥିଲେ। ଚଢ଼ାଉ ବେଳେ ୧୩ଟି ବଡ଼ ଶାଳ କାଠ ଗଣ୍ଡି ବୋଝେଇ ଥିବା ଓଡି-୦୨-ଏସ-୪୭୩୭ ନମ୍ବର ବିଶିଷ୍ଟ ଏକ ଆଇଚର ଟ୍ରକ୍ ଏବଂ ୫ଟି ଶାଳ କାଠ ଗଣ୍ଡି ବୋଝେଇ ଥିବା ଓଆର-୦୨-ଏଭି-୮୮୪୭ ନମ୍ବର ବିଶିଷ୍ଟ ଏକ ମହିନ୍ଦ୍ରା ବୋଲେରୋକୁ ଜବତ କରାଯାଇଥିଲା।ଏହାସହ କାଠ ଲୋଡିଂ କାର୍ଯ୍ୟରେ ବ୍ୟବହୃତ ଓଡି-୧୨-ଡି-୦୦୨୪ ନମ୍ବର ବିଶିଷ୍ଟ ଏକ ଜେସିବି ଲୋଡର, ଦୁଇଟି ମୋଟରସାଇକେଲ (ଓଡି-୧୨-ସି-୫୬୬୧ ଓ ଓଡି-୧୨-ସି-୩୩୨୪), ୪ଟି ମୋବାଇଲ ଫୋନ୍ ସମେତ ଅନ୍ୟାନ୍ୟ
![]()

ସାମଗ୍ରୀ ମଧ୍ୟ ଘଟଣାସ୍ଥଳରୁ ଜବତ କରାଯାଇଛି।ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ଜିଲ୍ଲାର କରଡ଼ାଶାସନ ଅଞ୍ଚଳର ଅରୁଣ ପରିଡା, ହରିହରପୁର ଗ୍ରାମର ରଞ୍ଜିତ କୁମାର ସ୍ୱାଇଁ, କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ଗୁଟୁମିଲା ସଂରକ୍ଷିତ ଗ୍ରାମର ଅଶୋକ କୁମାର ବଡ଼ସେଟ ଏବଂ ସାରକିଙ୍ଗିଆ ଗ୍ରାମର କବିଚନ୍ଦ୍ର ବଡମାଝୀ।ଏନେଇ ବନ ବିଭାଗ ପକ୍ଷରୁ କେସ୍ ନଂ-୩୫/୨୬ ରେ ଓଡ଼ିଶା ବନ ଆଇନ, ୧୯୭୨ର ଧାରା ୨୭(୨)(ବି) ଏବଂ ଓଡ଼ିଶା ବନଜାତ କାଠ ଓ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ପରିବହନ ନିୟମ, ୧୯୮୦ର ନିୟମ ୪, ୧୨, ୧୪ ଓ ୨୧ ଅନୁଯାୟୀ ଏକ ବନ ମାମଲା ରୁଜୁ କରାଯାଇଛି।ଏହି ଚୋରା କାଠ କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରହିଛି ବୋଲି ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହନ୍ତି ସୂଚନା ଦେଇଛନ୍ତି।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ, ବାଲିଗୁଡ଼ା

