କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ : ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ

କନ୍ଧମାଳ, ତା. ୦୫/୦୭ (ସୁକାନ୍ତ କୁମାର ତ୍ରିପାଠୀ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌)-୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶ ଉପଲକ୍ଷେ ରବିବାର ଫୁଲବାଣୀସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ଚିଠା ଭୋଟର ତାଲିକା ପ୍ରକାଶ, ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଜନସଚେତନତା ସୃଷ୍ଟି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ କହିଥିଲେ ଯେ, ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ନିର୍ଭୁଲ ଓ ତ୍ରୁଟିମୁକ୍ତ କରିବା ନିର୍ବାଚନ କମିଶନଙ୍କ ପ୍ରାଥମିକତା। ଏଥିପାଇଁ ରାଜନୈତିକ ଦଳ, ଜନପ୍ରତିନିଧି, ବୁଥ୍ ସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମର ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। ଯୋଗ୍ୟ ଭୋଟରଙ୍କ ନାମ ସଂଯୋଜନ, ଅଯୋଗ୍ୟ ଭୋଟରଙ୍କ ନାମ ବିଲୋପ ଏବଂ ତ୍ରୁଟି ସଂଶୋଧନ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ମୋଟ

କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ : ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ

୫,୭୦,୮୯୮ ଜଣ ଭୋଟରଙ୍କ ମଧ୍ୟରୁ ୫,୩୧,୮୪୨ ଜଣ ଏନୁମେରେସନ ଫର୍ମ ଦାଖଲ କରିଛନ୍ତି। ମୃତ, ସ୍ଥାନାନ୍ତରିତ, ଡୁପ୍ଲିକେଟ୍ କିମ୍ବା ଅନୁପସ୍ଥିତ ଭୋଟରଙ୍କ କାରଣରୁ ୩୯,୦୫୬ଟି ଫର୍ମ ସଂଗ୍ରହ ହୋଇପାରିନାହିଁ। ନିର୍ବାଚନ କମିଶନଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ରରେ ସର୍ବାଧିକ ୧,୨୦୦ ଜଣ ଭୋଟର ରହିବେ। ଏହାଫଳରେ ଜିଲ୍ଲାରେ ୧୫୧ଟି ନୂତନ ବୁଥ୍ ସୃଷ୍ଟି କରାଯାଇଥିବାବେଳେ ମୋଟ ବୁଥ୍ ସଂଖ୍ୟା ୬୬୧ରୁ ବୃଦ୍ଧି ପାଇ ୮୧୨ରେ ପହଞ୍ଚିଛି।ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ-୨୦୨୬ର କାର୍ଯ୍ୟସୂଚୀ ଅନୁଯାୟୀ ୦୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ୦୫ ଜୁଲାଇରୁ ୦୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ୦୫ ଜୁଲାଇରୁ ୦୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଶୁଣାଣି ଓ ସମାଧାନ ପ୍ରକ୍ରିୟା ଚାଲିବ ଏବଂ ୦୬ ସେପ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।ବୈଠକରେ ଉପ-ଜିଲ୍ଲାପାଳ ଭିକାରୀ ସାହୁ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ କୁମୁଦିନୀ ମଲ୍ଲିକ, ଡେପୁଟି କଲେକ୍ଟର ଅଙ୍କିତ ଜେନା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅତିନିଆଲ ନାଇକା, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ନିର୍ବାଚନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ପାଳନ କରି ସ୍ୱଚ୍ଛ, ନିର୍ଭୁଲ ଓ ଅନ୍ତର୍ଭୁକ୍ତିମୂଳକ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିବାକୁ ଆହ୍ୱାନ ଜଣାଯାଇଥିଲା।

Smart Computer Ad
You might also like
error: Content is protected !!