ବାଲିଗୁଡ଼ା, ୪/୭ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ ନମ୍ବର ଜାତୀୟ ରାଜପଥର ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନିଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅଜଣା ଗାଡ଼ିର ଧକ୍କାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣା ପରେ ଗାଡ଼ିଟି ଫେରାର ହୋଇଯାଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଗୋଟିଏ ମୋଟରସାଇକେଲରେ ତିନିଜଣ ଯୁବକ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ।ଖବର ପାଇ ବାଲିଗୁଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।ମୃତ ତିନିଜଣଙ୍କ ମରଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଏପର୍ଯ୍ୟନ୍ତ ମୃତକମାନଙ୍କ ପରିଚୟ ମିଳିନଥିବା ବେଳେ ବାଲିଗୁଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଫେରାର ଗାଡ଼ିକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି।
